କ୍ରିକେଟ ଖେଳି ଫେରିବା ବେଳେ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଭବାନୀପାଟଣା,୮।୧(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭବାନୀପାଟଣା ସଦର ଥାନା ଅଧୀନ ବେଲାମାଲ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ ଗ୍ୟାସ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଡକାବାହାଲି ଗ୍ରାମର ଅକ୍ଷୟ ଗୌଡ଼, ଟୁଟୁ ଚଣ୍ଡୀ ଓ ରଘୁ ଗୌଡ଼।

ସମ୍ପୃକ୍ତ ୩ ଯୁବକ ସ୍ଥାନୀୟ ଉତ୍କେଲାରୁ କ୍ରିକେଟ ଖେଳି ବାଇକ୍‌(ନଂ.ଓଡି୦୮ଜେ ୦୮୬୬)ରେ ଗାଁକୁ ଫେରୁଥିଲେ। ହେଲେ ବେଳାମାଲ ନିକଟରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର (ନଂ.ଟିଏନ୍‌୮୮ସି-୩୫୮୫) ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବାଇକ୍‌ ଆରୋହଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଓ ମୃତକଙ୍କ ସମ୍ପର୍କୀୟ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ କେସିଙ୍ଗା-ଭବାନୀପାଟଣା ମଧ୍ୟରେ ଯାତାୟାତ ବନ୍ଦ ରହିଛି। ଖବର ପାଇ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା ଚଳାଇଛି।