୩ ଅଙ୍ଗନୱାଡି କର୍ମୀଙ୍କୁ ଛଟେଇ ପ୍ରତିବାଦ: ନବମ ଦିନରେ ଧାରଣା

ଛତ୍ରପୁର,୧୩।୭(ଡି.ଏନ୍‌.ଏ.): ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଏ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ୮ ଦିନ ହେଲା ଧାରଣା ଚାଲିଛି। ଏ ନେଇ ମଙ୍ଗଳବାର ନବମ ଦିନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। କରାପଲ୍ଲୀ-୧ ଅଙ୍ଗନୱାଡି କେନ୍ଦ୍ରର କେ.କମଳା, ଟାଙ୍ଗଣାପଲ୍ଲୀ-୨ କେନ୍ଦ୍ରର ମଞ୍ଜୁମାଳା ପଣ୍ଡା ଓ ଚମାଖଣ୍ଡି-୧ କେନ୍ଦ୍ରର ଗିରିଜା ଗୌଡଙ୍କୁ ଛଟେଇ କରାଯାଇଛି। ରାଜ୍ୟ ସରକାରଙ୍କ ନିୟମ ପ୍ରକାରେ ୬୦ ବର୍ଷରୁ ଅବସର ୨ ବର୍ଷ ବୃଦ୍ଧି ପାଇ ୬୨ ବର୍ଷ ଧାର୍ଯ୍ୟ ହୋଇଛି। ହେଲେ ଉକ୍ତ କର୍ମୀଙ୍କ ୬୦ ବର୍ଷ କାର୍ଯ୍ୟକାଳକୁ ହିସାବକୁ ନେଲେ ଦୀର୍ଘ ୧ ବର୍ଷ ପରେ ହଠାତ୍‌ ଏମାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିବା ପାଇଁ ଚିଠି କରାଗଲା। ସେମାନେ ୨ ବର୍ଷ ଚାକିରି ବୃଦ୍ଧି ପାଇ ସମସ୍ତ ପ୍ରକାର ସର୍ତ୍ତାବଳୀ ସହ ମେଡିକାଲ ଫିଟନେସ ଆବଶ୍ୟକୀୟ କାଗଜ ପତ୍ର ଦାଖଲ ପରେ ମଧ୍ୟ ପୁନଃ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ। ବହିଷ୍କୃତ ୩ ଜଣ କର୍ମୀଙ୍କୁ କାର୍ଯ୍ୟରେ ନିୟୋଜିତ ପାଇଁ ପଦକ୍ଷେପ ନେବାକୁ ସିଡିପିଓ କାର୍ଯ୍ୟାଳୟରୁ ଜିଲାପାଳ ଓ ଉପଜିଲାପାଳଙ୍କୁ ଚିଠି ରାଯାଇଛି।