ଛତିଶଗଡରେ ମାଓବାଦୀଙ୍କ ବଡ ଆକ୍ରମଣ: ୩ ଯବାନ ଶହୀଦ, ୧୪ ଆହତ

ମାଲକାନଗିରି,୩୦।୧: ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। ଛତିଶଗଡର ବିଜାପୁର-ସୁକମା ସୀମାରେ ମାଓଙ୍କ ଆକ୍ରମଣରେ ୩ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣରେ ୧୪ ଯବାନ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡା ଓ ଅଲୀଗୁଡା ନିକଟରେ ମାଓଙ୍କର ଉପସ୍ଥିତି ନେଇ ଯବାନମାନେ ସେଠାରେ ଶିବିର କରି ରହିବା ସହ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରିଥିଲେ। ମଙ୍ଗଳବାର ହଠାତ୍‌ ମାଓବାଦୀମାନେ ଯବାନଙ୍କ ଉଫରେ ଆକ୍ରମଣ କରିଥିଲେ। ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ଜଣ ଯବାନ ଶହୀଦ ହୋଇଥିଲେ।

ଆହତ ଯବାନଙ୍କୁ ଜଗଦଲପୁରସ୍ଥିତ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। କିନ୍ତୁ ଗୁରୁତର ଯବାନଙ୍କୁ ଏୟାର ଲିଫ୍ଟ କରି ରାୟପୁର ସ୍ଥାନାନ୍ତରିତ କରାଯାଇଛି।