ସ୍କୁଲରୁ କମ୍ପ୍ୟୁଟର ଚୋରି କରି ଧରାପଡ଼ିଲେ

ଜୁନାଗଡ଼,୧୯।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରି ଘଟଣାର ରବିବାର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସ୍ଥାନୀୟ ଜେଏମ୍‌ଏଫ୍‌ସି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୁନାଗଡ଼ ସହର ସମିଆବନ୍ଦପଡାର ମଗସିର ଦଣ୍ଡସେନା(୪୬), ବାବୁପଡାର ଗଣେଶ ମଲ୍ଲିକ(୧୯) ଓ ବ୍ରାହ୍ମଣପଡାର ଚନ୍ଦ୍ର ଖର୍ସେଲ ଓରଫ ଲିଟିଲ(୨୨)।
ପୋଲିସ ସୂଚନା ମୁତାବକ, ୧୩ ତାରିଖ ରାତିରେ ଅଭିଯୁକ୍ତମାନେ ଜୁନାଗଡ଼ ସହର ସରକାରୀ ଉଚ୍ଚ ବିଦ୍ୟାଳୟର ଇ-ପାଠାଗାରରୁ ୩ଟି କମ୍ପ୍ୟୁଟର ସେଟ୍‌ ଚୋରି କରି ନେଇଥିଲେ। ଏନେଇ ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗ ୧୪ ତାରିଖରେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜୁନାଗଡ଼ ଥାନା ପୋଲିସ ଏକ ମାମଲା(ନଂ.୨୭୦/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଚୋରି କମ୍ପ୍ୟୁଟର ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିବା ଆଇଆଇସି ଉତ୍ତମ କୁମାର ସାହୁ କହିଛନ୍ତି।