ଭାଜପା ଛାଡ଼ି ବିଜେଡିକୁ ଯାଇଥିବାରୁ ମାରିଦେଲେ

ପୋଲସରା,୨ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ମୁକ୍ତାମାଳାଦେଇପୁର ଶାସନ ଗ୍ରାମରେ ଗତ ୧୯ରେ ଅମିତ ଆଚାର୍ଯ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ତପନ ଆଚାର୍ଯ୍ୟ, ପପିନି ଗୌଡ଼, ରଞ୍ଜନ ବେହେରା। ଏ ନେଇ ପୋଲସରା ଥାନାରେ ନଂ. ୧୧୩/୨୨ରେ ଏକ ମାମଲା ରୁଜୁ ହୋଇଛି। ଶୁକ୍ରବାର ପୋଲିସ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ ଡେମୋ ଦେଖାଇଥିଲା।

ଅମିତ ଆଚାର୍ଯ୍ୟ ପୂର୍ବରୁ ଭାଜପାରେ ରହି କାମ କରୁଥିଲେ। ପରେ ସେ ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଅମିତ କାହିଁକି ଭାଜପା ଛାଡ଼ି ବିଜେଡିକୁ ଗଲେ ବୋଲି ଅଭିଯୁକ୍ତମାନେ ରାଗି ଯାଇଥିଲେ। ତାଙ୍କୁ ପୁଣି ଭାଜପାକୁ ଆସିବା ପାଇଁ କହିଥିଲେ। ହେଲେ ଅମିତ ମନା କରିଥିଲେ। ଏନେଇ ଅଭିଯୁକ୍ତମାନେ ଅମିତଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସ ଆଗରେ ସ୍ବୀକାର କରିଥିବା ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏପରି କି ପୋଲିସ ତପନଙ୍କ ଘରୁ ରକ୍ତଭିଜା ଶାର୍ଟ ଛୁରୀ ଜବତ କରିଛି।