ଆନନ୍ଦପୁର,୧୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ପୋଲିସ ଦ୍ୱାରା ପଦନପୁର ଗ୍ରାମର ୩ କାଠ ମାଫିଆଙ୍କୁ ବୁଧବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସ୍ବର୍ଗତ ନରହରି ଜେନାଙ୍କ ପୁଅ ରଞ୍ଜନ, ସ୍ବର୍ଗତ ବିନୋଦ ଜେନାଙ୍କ ପୁଅ ଅଙ୍କୁର, ସ୍ବର୍ଗତ ମାଧିଆ ଜେନାଙ୍କ ପୁଅ ପ୍ରତାପ ।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଦେଓଗାଁ ରେଞ୍ଜ ଅନ୍ତର୍ଗତ ବରମାଳ ବିଟ୍‌ ଅଧୀନ ସଂରକ୍ଷିତ ଜଙ୍ଗଲରୁ କେତେକ କାଠ ମାଫିଆ ଗଛ କାଟୁଥିଲେ। ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ କାଠ ମାଫିଆମାନେ ବନ ବିଭାଗ କର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏପରିକି ଠେଲାପେଲା, ଗାଳିଗୁଲଜ ସହିତ ବନ ବିଭାଗ କର୍ମଚାରୀଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଥିଲା। ସମ୍ପୃକ୍ତ ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଘସିପୁରା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। କେସ୍‌ ନଂ ୩୨୦/୨୨ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା। ବୁଧବାର ପଦନପୁର ଗ୍ରାମର ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ବିକ୍ରମ କେଶରୀ ସ୍ବାଇଁ ସୂଚନା ଦେଇଛନ୍ତି।