ଓଏଲ୍‌ଏକ୍ସରେ ବିଜ୍ଞାପନ ଦେବା ପଡ଼ିଲା ମହଙ୍ଗା: ସେନା କର୍ମଚାରୀ କହି ଠକିନେଲେ ୩.୪୪ ଲକ୍ଷ

ବ୍ରହ୍ମପୁର ଅଫିସ,୨୮ା୧୧: ଘରଭଡ଼ା ପାଇଁ ଅନ୍‌ଲାଇନ ଆପ୍‌ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବିଜ୍ଞାପନରେ ଥିବା ମୋବାଇଲ୍‌ ନମ୍ବରକୁ କେହି ଜଣେ ଠକ ଫୋନ୍‌ କରି ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ବିଶ୍ୱାସଭାଜନ ହେବାସହ ଘର ଭଡ଼ାରେ ନେବାକୁ କହି ଅଗ୍ରିମ ଟଙ୍କା ଦେବା ପରିବର୍ତ୍ତେ ଘର ମାଲିକ କେ. ରୋହିତଙ୍କଠାରୁ ଓଲଟା ୩ ଲକ୍ଷ ୪୪ ହଜାର ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ଜାଣିବା ପରେ ଘର ମାଲିକ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ନଂ.୪୭/୨୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ରଙ୍ଗୁଣୀବନ୍ଧ ସାହିର କେ.ରୋହିତ ଏହି ଅଭିଯୋଗ କରିଛନ୍ତି। ଓଏଲ୍‌ଏକ୍ସରେ ଘର ଭଡ଼ା ପାଇଁ ଦେଇଥିବା ମୋବାଇଲ୍‌ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା। ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ରଙ୍ଗେଇଲୁଣ୍ଡା ଆର୍ମି ଏଡି କଲେଜକୁ ତାଙ୍କର ବଦଳି ହୋଇଥିବାରୁ ସେ ଘର ଭଡ଼ା ନେବାକୁ ଚାହୁଁଥିବା କହିଥିଲେ। ମାଲିକ ଜଣକ ତାଙ୍କୁ ଘର ଦେଖି ଆସିବା ପାଇଁ କହିଥିଲେ। କିନ୍ତୁ ସେ ବିଜ୍ଞାପନରେ ଦେଖିଥିବା ଘର ଫଟୋ ଦେଖି ସନ୍ତୁଷ୍ଟ ଥିବା କହିଥିଲେ। ଏହାପରେ ମୋତେ ସେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ କେୱାଇସି ଡିଟେଲ୍‌ ପଠାଇବାକୁ କହିଥିଲେ। ଇଣ୍ଡିଆନ୍‌ ଆର୍ମିର ବ୍ୟବସ୍ଥା ମୁତାବକ କୁଆଡ଼େ ସେସବୁ ଅଫିସରେ ଦାଖଲ କଲାପରେ ଯାଇ ସାଧାରଣ ଲୋକଙ୍କ ସହ ଅର୍ଥ ନେଣଦେଣ କରିପାରିବେ ବୋଲି କହିଥିଲେ। ଏହି କଥାକୁ ବିଶ୍ୱାସ କରି ସମସ୍ତ ବ୍ୟାଙ୍କ ଡିଟେଲ୍ସ ତାଙ୍କୁ ଦେଇଥିଲେ। ପରେ ତାଙ୍କ କହିବା ଅନୁଯାୟୀ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୧ଟଙ୍କା ତାଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍‌ ଟ୍ରାନ୍ସଫର୍‌ କରିଥିଲେ। ତା’ପରେ ୯୯୯୯ ଟଙ୍କା ପଠାଇଲେ ୨୦ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବ ବୋଲି କହିଥିଲେ। ସେତିକି ପରିମାଣର ଟଙ୍କା ପଠାଇବା ପରେ ଟ୍ରାଞ୍ଜାକ୍ସନ ପ୍ରକ୍ରିୟା ଜାରି ରହିଛି, ତେଣୁ ୧୦ ହଜାର ଟଙ୍କା ପଠାଇବାକୁ କହିଥିଲେ। ଏଭଳି ସେ ବିଭିନ୍ନ ବାହାନା କରି ୯ଥରରେ ମୋଟ ୩ ଲକ୍ଷ ୪୪ ହଜାର ଟଙ୍କା ମାଗି ନେଇଥିଲେ। ପୁଣି ଶେଷଥର ପାଇଁ ୯୯,୫୦୦ ଟଙ୍କା ମାଗିବାରୁ ଘର ମାଲିକ ମନାକରି ଦେଇଥିଲେ। ତଥାପି ସେ ବାଧ୍ୟ କରିଥିଲେ, ଉପରୋକ୍ତ ଟଙ୍କା ଜମା କଲେ ପୂର୍ବରୁ ଡିପୋଜିଟ୍‌ କରିଥିବା ସମସ୍ତ ଟଙ୍କା ପେରସ୍ତ ଆସିଯିବ ବୋଲି। ନଚେତ୍‌ ୭-୧୦ ଦିନ ମଧ୍ୟରେ ଚେକ୍‌ ଆସିବ ବୋଲି କହିଥିଲେ। ତେବେ ସେତେବେଳକୁ ଘର ମାଲିକ ଜଣକ ଠକ ହାବୁଡ଼ରେ ପଡ଼ି ଯାଇଥିବା ଅନୁଭବ କରି ମନାକରି ଦେଇଥିଲେ।