ପ୍ରତାପପୁର ଆରଟି ବିଦ୍ୟାପୀଠରେ ଖୋଲିବ ଯୁକ୍ତ ଦୁଇ ଶ୍ରେଣୀ

ପୁରୁଷୋତ୍ତମପୁର, ୨୬।୫(ଡିଏନଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପପୁର ଠାରେ ରାଙ୍ଗାଭାଟ୍ଟଲା ତୁମ୍ବନାଥଂ ସରକାରୀ ଉଚ୍ଚ ବିଦ୍ୟାଳୟ (ଆରଟି ବିଦ୍ୟାପୀଠ)ରେ ଯୁକ୍ତ ଦୁଇ କଳା ଶ୍ରେଣୀ ଖୋଲଯିିବ। ଏନେଇ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷା ବର୍ଷରୁ ଯୁକ୍ତ ଦୁଇ ଶିକ୍ଷା ଦାନ ଆରମ୍ଭ ହେବ। ଏହି ଅଞ୍ଚଳରେ ଯୁକ୍ତ ଦୁଇ ଶ୍ରେଣୀ ନ ଥିବା ହେତୁ ଗରିବ ଶ୍ରେଣୀର ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିଲେ। ଏହାକୁ ନେଇ ଜନସାଧାରଣ ଦାବି କରି ଆସୁଥିଲେ। ଏହି ଦାବିକୁ ନେଇ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ସରକାରଙ୍କଠାରେ ଦାବି ଉପସ୍ଥାପନ କରିଥିଲେ। ବିଧାୟିକାଙ୍କ ଉଦ୍ୟମରେ ଏହି ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିଥିବା ହେତୁ ଅଞ୍ଚଳବାସୀ ସରକାର ଓ ବିଧାୟିକାଙ୍କୁ ସାଧୁବାଦ ଜଣାଇଛନ୍ତି। ଏହା ଦ୍ୱାରା ଅଞ୍ଚଳର ବହୁ ଗରିବ ଶ୍ରେଣୀର ପିଲାମାନେ ଉପକୃତ ହୋଇପାରିବେ।