ରେଡ ଜୋନ୍‌ରେ ଗଞ୍ଜାମର ୨୮୮ ଗାଁ: ୨୧.୭୮ ଲକ୍ଷ ଲୋକଙ୍କ ହେଲାଣି ଥର୍ମାଲ ସ୍କ୍ରିନିଂ

ଛତ୍ରପୁର,୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଘରକୁ ଘର ଯାଇ ସମସ୍ତ ପରିବାର ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି। ଗଞ୍ଜାମରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଜିଲାପାଳ ଏହି ନିଷ୍ପତ୍ତି ନେଇଥିଲେ। ଗୁରୁବାର ସୁଦ୍ଧା ଗଞ୍ଜାମର ୨୮୮ ଗାଁ ରେଡ୍‌ ଜୋନ୍‌ରେ ଥିବା ବେଳେ ୨୧ ଲକ୍ଷ ୭୮ ହଜାର ୪୪୧ ଜଣଙ୍କ ଥର୍ମାଲ ସ୍କ୍ରିନିଂ ହୋଇଥିବା ପିଡି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ସୂଚନା ଦେଇଛନ୍ତି। ଏଥିରୁ ୨୦୪ ଜଣଙ୍କଠାରେ କରୋନା ଲକ୍ଷଣ ଚିହ୍ନଟ ହୋଇଛି। ୧୭୯ ଜଣଙ୍କ ଆକ୍ସିଜେନ ସ୍ତର କମ ଥିବା ଜଣାପଡିଥିଲା। ୫ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି। ଆଶା କର୍ମୀ, ସ୍ବଚ୍ଛ ସାଥୀ, ସୁପରଭାଇଜର, ଅଙ୍ଗନଓ୍ବାଡିକର୍ମୀମାନେ ସମସ୍ତଙ୍କ ଅକ୍ସି ମିଟରରେ ଅମ୍ଳଜାନ ସ୍ତର ସହ ଶରୀରର ତାପମାତ୍ରା ଥର୍ମାଲ ସ୍କ୍ରିନିଂରେ ଯାଞ୍ଚ କରୁଛନ୍ତି। ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ ହସ୍ପିଟାଲକୁ ରେଫର କରାଯାଉଛି। ଏଥିପାଇଁ ୨୦୨୧ ଟିମ୍‌ ଏହି କାର୍ଯ୍ୟ ରେ ସାମିଲ ହୋଇଛନ୍ତି।