Categories: ବାଣିଜ୍ୟ

ଏଣିକି ବିଳମ୍ବିତ ହେବନି ବିମାନ ଉଡ଼ାଣ

ନୂଆଦିଲ୍ଲୀ,୨୩-୬: ଦେଶରେ ବିମାନ ଉଡ଼ାଣ ବିଳମ୍ବିତ ହେବା ଏକ ସାଧାରଣ ଘଟଣା। ଏଥିପାଇଁ ବିଭିନ୍ନ କାରଣ ରହିଛି। ତେବେ କେନ୍ଦ୍ର ସରକାର ଏଭଳି ଏକ ନୂଆ ବ୍ୟବସ୍ଥା ଆଣିଛନ୍ତି, ଯାହା ଦ୍ୱାରା ବିମାନ ଚଳାଚଳରେ ଆଉ ବିଳମ୍ବ ହେବ ନାହିଁ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର ବିମାନ ଯାତାୟତ ପରିଚାଳନାର କେନ୍ଦ୍ରୀୟ ନିୟନ୍ତ୍ରଣ କେନ୍ଦ୍ର(ସି-ଏଟିଏଫ୍‌ଏମ୍‌)କୁ ଉଦ୍‌ଘାଟନ କରିଛନ୍ତି। ଅଧିକାଂଶ ବିମାନ ବନ୍ଦର ଏବେ କ୍ଷମତାର ବାଧ୍ୟତା ଭିତରେ ଛନ୍ଦି ହୋଇପଡିଛି। ସେମାନେ ନିଜ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିଚାଳନା କରିବାକୁ ବାଧ୍ୟ ହେଉଛନ୍ତି। ତେବେ ନୂଆ ବ୍ୟବସ୍ଥା ଦ୍ୱାରା ବିମାନ ଉଡ଼ାଣ ବିଳମ୍ବକୁ ଅନେକାଂଶରେ ରୋକାଯାଇପାରିବ ଏବଂ ଘୋଷିତ ସମୟରେ ଏହା ଉଡ଼ିପାରିବ ବୋଲି ଆଶାକରାଯାଉଛି। ଆଜିର ବ୍ୟବସ୍ଥା ଉଦ୍‌ଘାଟନ ଦ୍ୱାରା କେନ୍ଦ୍ରୀୟ ବିମାନ ଯାତାୟତ ପରିଚାଳନା ବ୍ୟବସ୍ଥା ଆପଣାଇବାରେ ଭାରତ ବିଶ୍ୱର ୭ମ ଦେଶ ହୋଇଛି। ଏହା ଏକ ବିଶ୍ୱସ୍ତରୀୟ ପ୍ରଣାଳି, ଯେଉଁଠାରେ ଏକ ବଡ଼ ସ୍କ୍ରିନ୍‌ରେ ସାରା ଦେଶର ବେସାମରିକ ବିମାନ ବନ୍ଦରର ଢାଞ୍ଚା ଓ ବିମାନ ଉଡ଼ାଣକୁ ଦେଖିହେବ।

Share