Categories: Uncategorized

ଜଙ୍ଗଲରୁ ଗଛ କାଟି ୨୬ ଗିରଫ

କେନ୍ଦୁଝର,୧୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅଧୀନ ଅଟେଇ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ୨୬ଜଣଙ୍କୁ ବନ ବିଭାଗ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ କାଠ, ଗଛକଟା ସରଞ୍ଜାମ ଆଦି ଜବତ କରାଯାଇଛି। ସେମାନଙ୍କ ଘର ଘଟଗାଁ ବ୍ଲକ ଅଞ୍ଚଳରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଜଙ୍ଗଲ ଜମି ଅଧିକାର ଆଇନରେ ସରକାର ବନବାସୀମାନଙ୍କୁ ସେମାନଙ୍କ ଦଖଲ ଜମିର ଅଧିକାର ବା ଜମିପଟ୍ଟା ପ୍ରଦାନ କରୁଛନ୍ତି। ଜିଲାରେ ବହୁ ଲୋକ ଏହି ଆଇନ ବଳରେ ଜମିପଟ୍ଟା ପାଇ ସାରିଛନ୍ତି। ତେବେ ଅନେକ ବନବାସୀ ଜଙ୍ଗଲ ଜମିପଟ୍ଟା ପାଇବା ପାଇଁ ବିଭିନ୍ନ ସମୟରେ ଜଙ୍ଗଲ କାଟି ପଦା କରି ଦଖଲ କରୁଥିବା ନେଇ ଅଭିଯୋଗ ହୋଇ ଆସୁଛି। ପୂର୍ବରୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଇଥିଲେ ହେଁ ସଂଘବଦ୍ଧ ଭାବେ ଜଙ୍ଗଲ କାଟୁଥିବା ବେଳେ ବିଭାଗ ପକ୍ଷରୁ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରାଯାଇଥିଲା। ଏ ନେଇ ଡିଏଫ୍‌ଓ ଧନରାଜ ଡି.ଏଚ୍‌ କହିଛନ୍ତି, ଓଡ଼ିଶା ଜଙ୍ଗଲ ଆଇନ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇଛି। ଜଙ୍ଗଲ ଜମିପଟ୍ଟା ପାଇବା ଆଶାରେ ସେମାନଙ୍କୁ ବାରଣ କରାଯିବା ସତ୍ତ୍ୱେ ଗଛ କାଟୁଥିଲେ। ଓଡ଼ିଶା ଜଙ୍ଗଲ ଆଇନ କେଶ୍‌ ନଂ. ୬୦ଜି/ ୨୦୨୧-୨୨ ଦଫା ୨୭(୩) (ଏ) ଓ (ସି), ଦଫା ୫୭ ଓ ୬୭(ସି)ରେ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଘଟଗଁା ଥାନାରେ ମଧ୍ୟ ବିଭାଗ ପକ୍ଷରୁ ଏତଲା ଦିଆଯାଇଛି।