୨୫୫ କେଜି ଗଞ୍ଜେଇ ଜବତ: ୨ କାର୍‌ ସହ ୫ ଗିରଫ

ବ୍ରହ୍ମପୁର ଅଫିସ,୧୬।୧: ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ରବିବାର ଓ ସୋମବାର ୨ଟି ପୃଥକ୍‌ ସ୍ଥାନରେ ଚଢ଼ାଉକରି ୨୫୫ କେଜି ଗଞ୍ଜେଇ ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି କାର୍‌ ଜବତ ହୋଇଥିବା ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଅଶୋକ ଶତପଥୀ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ର କୃଷ୍ଣ ପାତ୍ର, ଗଜପତି ଜିଲା ମୋହନାର ପିଣ୍ଟୁ ନାୟକ, ପୁରୀର ବାବୁଲା ବେହେରା ଓ ତପନ ନାୟକ ଏବଂ ପଶ୍ଚିମବଙ୍ଗ ମୁର୍ଶିଦାବାଦର ସବିୟୁଲ ଇସଲାମ।

ରବିବାର ଅବକାରୀ ଟିମ୍‌ ଆସିକା ଥାନା କାଳଷଣ୍ଢପୁରରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏକ କାର୍‌ ଓ ସ୍କୁଟିରେ ଚାଲାଣ ହେଉଥିବା ୧୫୫ କେଜି ଗଞ୍ଜେଇ ଜବତ କରିଥିଲା। ଅବକାରୀ ବିଭାଗ ଏହି ସଂକ୍ରାନ୍ତରେ ୪ ଜଣଙ୍କୁ ଗିରଫ କରିଥିଲା। କନ୍ଧମାଳ ଜିଲାରୁ ଗଞ୍ଜେଇ ଆଣି ବ୍ରହ୍ମପୁର ଦେଇ ପୁରୀ, କୋଲକାତାକୁ ଚାଲାଣ କରାଯାଉଥିବା ତଦନ୍ତ ପରେ ଜଣାପଡ଼ିଛି। ସେହିପରି ସୋମବାର ସକାଳେ ଅବକାରୀ ବିଭାଗର ଏକ ଟିମ୍‌ ଦିଗପହଣ୍ଡି ଥାନା ଅନ୍ତର୍ଗତ ପୁଞ୍ଜିକୟାଁ ଛକରେ ଚଢାଉ କରିଥିଲା। ଯାଞ୍ଚ ବେଳେ ଏକ କାରରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଅବକାରୀ ଟିମ୍‌ ଗିରଫ କରିଛି। ଏହି ଗଞ୍ଜେଇ ଗଜପତି ଜିଲାରୁ ବ୍ରହ୍ମପୁର ଦେଇ ପଶ୍ଚିମବଙ୍ଗ ଚାଲାଣ ହୋଇଥାନ୍ତା ବୋଲି ତଦନ୍ତ ବେଳେ ଜଣାପଡିଛି।