Categories: ବାଣିଜ୍ୟ

ପାକ୍ସ କମ୍ପ୍ୟୁଟରୀକରଣକୁ ୨,୫୧୬ କୋଟି

ନୂଆଦିଲ୍ଲୀ,୩୦।୬: ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍‌ ବା ପାକ୍ସ)ଗୁଡ଼ିକର କମ୍ପ୍ୟୁଟରୀକରଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ୨,୫୧୬ କୋଟି ଟଙ୍କାର ଖର୍ଚ୍ଚକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରିମଣ୍ଡଳର ଆର୍ଥିକ ମାମଲା ସମିତି (ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି କମ୍ପ୍ୟୁଟରୀକରଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପିଏସିଏସ୍‌ର ଦକ୍ଷତାକୁ ବଢାଇବା ସହିତ ସେଗୁଡ଼ିକର ସଞ୍ଚାଳନରେ ପାରଦର୍ଶିତା ଏବଂ ଦାୟିତ୍ୱହୀନତା ଆଣିବା। ଏହାସହିତ ପିଏସିଏସ୍‌କୁ ନିଜ ବ୍ୟବସାୟରେ ବିବିଧତା ଆଣିବା ତଥା ବିଭିନ୍ନ ସେବା ଆରମ୍ଭ କରିବା ପାଇଁ ସୁବିଧା ମଧ୍ୟ ପ୍ରଦାନ କରାଯିବା ନେଇ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଆଗାମୀ ୫ବର୍ଷ ମଧ୍ୟରେ ୨,୫୧୬ କୋଟି ଟଙ୍କା ବିନିମୟରେ ୬୩,୦୦୦ କାର୍ଯ୍ୟରତ ପିଏସିଏସ୍‌ର କମ୍ପ୍ୟୁଟରୀକରଣ ହେବାର ଯୋଜନା ରହିଛି। ଏଥିମଧ୍ୟରୁ କେନ୍ଦ୍ର ସରକାର ୧୫୨୮ କୋଟି ଟଙ୍କାର ବୋଝ ବହନ କରିବେ। ମନ୍ତ୍ରୀଙ୍କ ସୂଚନା ଅନୁସାରେ ସରକାରଙ୍କର ଏହି ନିଷ୍ପତ୍ତି ଦ୍ୱାରା ୧୩ କୋଟି କ୍ଷୁଦ୍ର ଏବଂ ସୀମାନ୍ତ ଚାଷୀ ଏହାଦ୍ୱାରା ଲାଭବାନ ହୋଇପାରିବେ। ଏହି ପରିଯୋଜନାରେ ସାଇବର ସୁରକ୍ଷା ଏବଂ ଡାଟା ଭଣ୍ଡାର ସହିତ କ୍ଲାଉଡ୍‌ ଆଧାରିତ ସାମାନ୍ୟ ସଫ୍ଟଓ୍ବେର୍‌ର ବିକାଶ ଏବଂ ପିଏସିଏସ୍‌ ହାର୍ଡଓ୍ବେର୍‌ ସମ୍ବନ୍ଧିତ ସହାୟତା ପ୍ରଦାନ କରିବା ସାମିଲ୍‌ ଅଛି। ସୂଚନାଯୋଗ୍ୟ, ପିଏସିଏସ୍‌ ସ୍ବଳ୍ପକାଳୀନ ସହକାରୀ ଋଣ (ଏସ୍‌ଟିସିସି)କୁ ତ୍ରିସ୍ତରୀୟ ବ୍ୟବସ୍ଥାର ସର୍ବନିମ୍ନ ସ୍ତରରେ ଭୂମିକା ଗ୍ରହଣ କରିଥାଏ। ପ୍ରାୟ ୧୩ କୋଟି ଚାଷୀ ପିଏସିଏସ୍‌ର ସଦସ୍ୟ ହୋଇଥିବା ବେଳେ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ବୃଦ୍ଧି ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦେଶର ସମସ୍ତ ସଂସ୍ଥାଗୁଡ଼ିକ ତରଫରୁ ଦିଆଯାଇଥିବା କେସିସି ଋଣରେ ପିଏସିଏସ୍‌ର ଅଂଶ ୪୦% ଅଟେ। ସରକାରଙ୍କ ଏହି ଯୋଜନା ଗ୍ରାମୀଣ କ୍ଷେତ୍ରଗୁଡ଼ିକର ଡିଜିଟାଲକରଣରୁ ଉତ୍କୃଷ୍ଟ କରିବା ସହିତ ବ୍ୟାଙ୍କିଙ୍ଗ ଏବଂ ଅଣବ୍ୟାଙ୍କିଙ୍ଗ୍‌ ଗତିବିଧିକୁ ଉତ୍ତମ ଭାବେ ଗଢିବାରେ ସହଯୋଗ କରିବ।

Share