Categories: ବାଣିଜ୍ୟ

ଆଜିଠାରୁ ୨୪ଘଣ୍ଟିଆ ଆର୍‌ଟିଜିଏସ୍‌ ସେବା

ନୂଆଦିଲ୍ଲୀ: ଚଳିତ ମାସ ୧୪ ତାରିଖ(ସୋମବାର)ରୁ ରିୟଲ ଟାଇମ ଗ୍ରସ୍‌ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌) ସେବା ୨୪ ଘଣ୍ଟିଆ ହେବ। ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏଭଳି ସୁବିଧା ସମ୍ପର୍କରେ ଘୋଷଣା କରିଛି। ରବିବାର ରାତି ୧୨.୩୦ରୁ ଆର୍‌ଟିଜିଏସ୍‌କୁ ୨୪ ଘଣ୍ଟିଆ କରିବା ଦିଗରେ ପଦକ୍ଷେପ ନିଆଯାଇଥିବା ଗଭର୍ନର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ଆର୍‌ଟିଜିଏସ୍‌ ସୁବିଧା ସକାଳ ୭ରୁ ସନ୍ଧ୍ୟା ୬ ଯାଏ ଉପଲବ୍ଧ ହେଉଛି। ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବାଦ୍‌ ବ୍ୟାଙ୍କର କାର୍ଯ୍ୟ ଦିବସଗୁଡିକରେ ଏହା ସବୁଦିନ ମିଳୁଛି। ସୂଚନାଯୋଗ୍ୟ, ଏନ୍‌ଇଏଫ୍‌ଟି ସୁବିଧାକୁ ୨୦୧୯ ଡିସେମ୍ବରଠାରୁ ୨୪ଘଣ୍ଟିଆ କରାଯାଇଛି। ଆର୍‌ଟିଜିଏସ୍‌କୁ ୨୪ ଘଣ୍ଟିଆ କରିବା କ୍ଷେତ୍ରରେ ଭାରତ କିଛି ହାତଗଣତି ଦେଶ ମଧ୍ୟରେ ସାମିଲ ହୋଇଥିବା ଶକ୍ତିକାନ୍ତ କହିଛନ୍ତି। ବର୍ତ୍ତମାନ ଏନ୍‌ଇଏଫ୍‌ଟିରେ ୨ ଲକ୍ଷ ଟଙ୍କା ଯାଏ ପଠାଇ ହେଉଛି। ବଡ ମୂଲ୍ୟର ଅର୍ଥ ପ୍ରେରଣ ଲାଗି ଆର୍‌ଟିଜିଏସ୍‌କୁ ବ୍ୟବହାର କରାଯାଇପାରିବ। ୨୦୦୪ ମାର୍ଚ୍ଚ ୨୬ରେ ଆର୍‌ଟିଜିଏସ୍‌ ସୁବିଧା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଦୈନିକ ଏଥିରେ ୬.୩୫ ଲକ୍ଷ ସଂଖ୍ୟକ ଟ୍ରାଞ୍ଜାକଶନ ହେଉଛି। ଏହାର ମୋଟ ମୂଲ୍ୟ ପ୍ରାୟ ୪.୧୭ ଲକ୍ଷ କୋଟି ଟଙ୍କା ହେବ। ଏଥିରେ ୨୩୭ ବ୍ୟାଙ୍କ ଅଂଶ ଗ୍ରହଣ କରୁଛନ୍ତି।

Share