ରାଧାନଗରରେ ଡକାୟତି: ୪୦ ଭରି ସୁନାଗହଣା, ଦେଢ଼ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳରେ କିଛିଦିନ ହେଲା ଘନଘନ ଚୋରି ଡକାୟତି ଘଟଣା ଲୋକଙ୍କ ନିଦ ହଜାଇ ଦେଇଛି। ଶନିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ମଳାଭଞ୍ଜା ରାଧାନଗର ଗ୍ରାମର ରାଶନ ଦୋକାନୀ ଜେ. ସରୋଜ କୁମାର ପାତ୍ର ପରିବାର ସହ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ବାଡ଼ିପଟ କବାଟ ତାଡ଼ି ଘରେ ପଶିବା ସହ ଗଡ୍‌ରେଜ ଭାଙ୍ଗି ସେଥିରେ ଥିବା ପ୍ରାୟ ୪୦ ଭରି ସୁନା ଅଳଙ୍କାର,୨ ଶହ ଭରି ଓଜନର ବିଭିନ୍ନ ରୁପା ସାମଗ୍ରୀ ସମେତ ନଗଦ ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ରାତିରେ କରେଣ୍ଟ ନ ଥିବାରୁ ସରୋଜଙ୍କ ସମେତ ପରିବାର ଲୋକେ ଘରେ ଏବଂ ବାରଣ୍ଡାରେ ଶୋଇଥିଲେ। ଦୁର୍ବୃତ୍ତମାନେ ଘର ଭିତରପଟୁ କବାଟ କିଳି ଚୋରି କରିବା ପରେ ଲୁଗାପଟା ଓ ବିଭିନ୍ନ ସାମଗ୍ରୀ ଫିଙ୍ଗିି ଚମ୍ପଟ ମାରିଥିବା ଜଣାପଡ଼ିଛି। ଭୋର୍‌ରୁ ପରିବାର ଲୋକେ ଉଠିବା ପରେ ଘଟଣା ସମ୍ପର୍କରେ ଜାଣିଥିଲେ। ସୂଚନାପାଇ ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ, ଏସ୍‌ଆଇ ବଳଭଦ୍ର ଗଣ୍ଡ ଓ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ସରୋଜ ଏନେଇ ଏତଲା ଦେଇଛନ୍ତି।