୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇ ସହ ଗୋଟିଏ ବଜାଜ ପଲସର ମୋଟରସାଇକେଲ ଓ ଗୋଟିଏ ଟାଟା ଏସି ଅଟୋକୁ ପୁଲିସ ଜବତ କରିଛି।
ପୋଲିସ ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ପୋଲିସ ପାଟ୍ରୋଲିଂ ଓ ବ୍ଲକିଂ କରୁଥିବାବେଳେ ଡହ ବଙ୍ଗଳା ଛକ ନିକଟରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ଚଢ଼ଉ କରି ଗୋଟିଏ ବଜାଜ ପଲସର ଓ ଗୋଟିଏ ଟାଟା ଏସି ଅଟୋକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା।
ଏହି ଘଟଣାରେ ନୟାଗଡ଼ ଜିଲ୍ଲା ମହିପୁର ଅଞ୍ଚଳର ଲକ୍ଷ୍ମୀଧର ସାହୁ, କନ୍ଧମାଳ ଜିଲ୍ଲାର ବିରିପାଟି ଅଞ୍ଚଳର ମୁକେଶ ଦିଗାଲ, ନୟାଗଡ଼ ଜିଲାର ଆଡିପାଦା ଅଞ୍ଚଳର ବିକାଶ ସାହୁ, ସରୋଜ କୁମାର ସାହୁ, କନ୍ଧମାଳ ଜିଲାର ଖଜୁରିପଡ଼ା ଅଞ୍ଚଳର ଲିପି ବେହେରା, ନୟାଗଡ଼ ଜିଲାର ଗୟାଳବାଡ଼ ଅଞ୍ଚଳର ଉସତ କହଁର, ନୟାଗଡ଼ ଜିଲ୍ଲାର ଆଡିପଡ଼ା ଅଞ୍ଚଳର ରାକେଶ କୁମାର ସାହୁ ଏବଂ କନ୍ଧମାଳ ଜିଲା କେରେଡି ଅଞ୍ଚଳର ବିରେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଏହି ଚାଲାଣ ପଛରେ ଏକ ଆନ୍ତଃରାଜ୍ୟ ଚାଲାଣକାରୀ ଗୋଷ୍ଠୀ ସମ୍ପୃକ୍ତ ଥିବା ତଦନ୍ତ ବେଳେ ସୂଚନା ମିଳିଥିବା ପୋଲିସ କହିଛି।

ଏହି ମାମଲାରେ ଆଉ କିଛି ବ୍ୟକ୍ତି ଜଡ଼ିତ ଥିବା ଆଶଙ୍କା କରାଯାଉଛି। ତେଣୁ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଭଞ୍ଜନଗର ଏଏସ୍ପି ରଞ୍ଜନ କୁମାର ଦେ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କ ସମେତ ପୋଲିସ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପୋଲିସ ପକ୍ଷରୁ ଏନ୍‌ଡିପିଏସ ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଛି। ଉକ୍ତ ଗଞ୍ଜେଇ ସବୁ ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ ଚାଲାଣ ହେବାର ଯୋଜନା ଥିଲା। ଏହାପରେ ପୋଲିସ ମାଡି ବସିଲା।

 

Dharitri – Odisha’s No.1 Odia Daily

 

Share