Categories: ଜାତୀୟ

ରାମ ମନ୍ଦିର ଉପରେ ରାୟ ଦେଇଥିବା ୫ ବିଚାରପତିଙ୍କୁ ମିଳିଲା ପ୍ରାଣ ପ୍ରତିଷ୍ଠା ଲାଗି ନିମନ୍ତ୍ରଣ, VIP ତାଲିକାରେ ନାମ

ନୂଆଦିଲ୍ଲୀ,୧୯।୧: ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ଦିନ କେଇଟା ବାକି। ସୋମବାର, ଜାନୁଆରୀ ୨୨ ଲାଗି ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ବଢ଼ୁଛି। ଏହି କ୍ରମରେ ମନ୍ଦିର ନିର୍ମାଣକୁ ନେଇ ଐତିହାସିକ ରାୟ ଦେଇଥିବା ୫ଜଣ ବିଚାରପତିଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଛି। ସେମାନେ ହେଲେ ରଞ୍ଜନ ଗୋଗୋଇ, ଶରଦ ଅରବିନ୍ଦ ବୋବଡେ, ଡି. ଚନ୍ଦ୍ରଚୁଡ଼, ଅଶୋକ ଭୂଷଣ, ଏସ୍‌. ଅବ୍‌ଦୁଲ ନାଜିର।

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏକ ୫୫ ପୃଷ୍ଠାର ଅତିଥି ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ଭିଭିଆଇପି ତଥା ଲୋକପ୍ରିୟ ବ୍ୟକ୍ତିଙ୍କ ନାମ ଉଲ୍ଲେଖ ରହିଛି। ଏହି ତାଲିକାରେ ସୁପ୍ରିମକୋର୍ଟର ୫ ବିଚାରପତିଙ୍କ ନାମ ମଧ୍ୟ ରହିଛି। ସେମାନେ ରାମ ଜନ୍ମଭୂମି ସପକ୍ଷରେ ରାୟ ଶୁଣାଇଥିଲେ।

୨୦୧୯ ନଭେମ୍ବର ୯ରେ ରାମମନ୍ଦିର-ବାବ୍ରି ମସଜିଦ ବିବାଦ ଉପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା। ବିବାଦୀୟ ୨.୭୭ ଏକର ଜମିକୁ ଟ୍ରଷ୍ଟକୁ ହସ୍ତାନର କରିବାକୁ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଥିଲେ।

Share