ବିବାହ, ଶୁଦ୍ଧିକ୍ରିୟା ପାଇଁ ୨୦୦ ଲୋକଙ୍କୁ ଅନୁମତି

କଟକ ଅଫିସ,୮।୧୦: ଆସୁଛି ଶୀତଋତୁ। ଏହି ସମୟରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଗୁରୁବାର ନୂତନ ଗାଇଡଲାଇନ ଜାରି କରାଯାଇଛି। ଏଥିରେ ଉଲ୍ଲେଖ ରହିଛି, ବିବାହ, ବ୍ରତ, ଶୁଦ୍ଧିକ୍ରିୟା, ବୈଠକ ଆଦି କାର୍ଯ୍ୟକ୍ରମରେ ୨୦୦ ଜଣ ଉପସ୍ଥିତ ରହିପାରିବେ। ଏଥିସହ କଲ୍ୟାଣୀ ମଣ୍ଡପ କିମ୍ବା ସମ୍ମିଳନୀ କକ୍ଷର କ୍ଷମତାଠାରୁ ୫୦ପ୍ରତିଶତ ଲୋକଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସ୍ଥାନୀୟ ଆଇଆଇସିଙ୍କଠାରୁ ଅନୁମତି ଆଣିବା, କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ସହ ସ୍କ୍ରିନିଙ୍ଗ କାରିବା ବାଧ୍ୟତାମୂଳକ ା ସେହିପରି ଗର୍ଭବତୀ ମହିଳା, ବୃଦ୍ଧ ଏବଂ ୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ନ ଆଣିବାକୁ ପରାମର୍ଶ ଦିଆଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପାନ, ଗୁଟ୍‌ଖା ଖାଇବା ପାଇଁ ମନା କରାଯାଇଛି। ପୋଲିସ ଏବଂ ସିଏମ୍‌ସି ଏନଫୋର୍ସମେଣ୍ଟ ସ୍କ୍ବାଡ ଉକ୍ତ ଗାଇଡ୍‌ଲାଇନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ସିଏମ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ବିଶେଷକରି କରୋନା ସଂକ୍ରମଣ ରୋକିବାକୁ ସିଏମ୍‌ସି ଏଭଳି ନିଷ୍ପତ୍ତି ନେଇଛି।