ଦୋଷୀଙ୍କୁ ୨୦ବର୍ଷ ଜେଲ

ବାରିପଦା ଅଫିସ,୭ା୧୨: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟରେ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଦୁର୍ଗାଚରଣ ମିଶ୍ର ଏହାର ବିଚାର କରି ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧୦ହଜାର ଟଙ୍କା ଜରିମାନା ଓ ଅନାଦାୟେ ଅଧିକ ୧ବର୍ଷ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେତନଟୀ ଥାନା କଛିମବିଲା ଗ୍ରାମର ଦୁଲାଲ ସିଂ(୫୮) ା ମାମଲାର ବିବରଣୀ ଅନୁଯାୟୀ, ୨୦୧୯ ମେ ୨୦ରେ ଅଭିଯୁକ୍ତ ଦୁଲାଲ ଜଣେ ନାବାଳିକାଙ୍କୁ ଘରୁ ଡାକି ନେଇ ନିକଟସ୍ଥ ଜଙ୍ଗଲରେ ବଳାତ୍କାର କରିଥିଲେ। ମୁର୍ର୍ମୂଷୁ ଅବସ୍ଥାରେ ପୀଡ଼ିତା ଜଙ୍ଗଲରେ ପଡ଼ି ରହିଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବେତନଟୀ ଓ ପରେ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏ ସଂକ୍ରାନ୍ତରେ ପୀଡ଼ିତାଙ୍କ ଭାଇଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ପୋକ୍‌ସୋ ଆକ୍ଟରେ ଏକ ମାମଲା(ନଂ. ୭୦/୧୯) ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ। ଉଲ୍ଲେଖଯୋଗ୍ୟ, ମାମଲାର ବିଚାର ସମୟରେ ପୀଡ଼ିତାଙ୍କର ମୃତ୍ୟୁ ଘଟିିଛି।