ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

ଫୁଲବାଣୀ,୧୫ା୧୧(ରାକେଶ କୁମାର ରାଉତ): ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ବୁଧବାର ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ଏବଂ ଏହା ଅନାଦାୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବାଲିଗୁଡ଼ା ଥାନା ବାରଖମା ଅଞ୍ଚଳର ଅଶୋକ କୁମାର ନାୟକ ଓରଫ ଆଶିଷ।
ସୂଚନନେୁସାରେ, ୨୦୨୦ ଜାନୁୟାରୀ ୧୨ରେ କ.ନୂଆଗଁା ଥାନା ଅଞ୍ଚଳର ଜଣେ ନାବାଳିକା ବାଲିଗୁଡ଼ା ଯାଇଥିଲେ। ଅଶୋକ ମଧ୍ୟ ସେଠାକୁ ଆସିଥିଲେ। ସେ ନାବାଳିକାଙ୍କୁ ବଳପୂର୍ବକ ଅପହରଣ କରି ନେଇଥିଲେ। ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ପରେ ଝିଅକୁ ଅଶୋକ ନେଇଯାଇ ବିବାହ କରିଥିବା ପରିବାର ଲୋକେ ଖବରପାଇ କ.ନୂଆଗଁା ଥାନାରେ ଏତଲା ଦେଇଥିଲେ। ଏ ନେଇ ପୋଲିସ ୩/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଶୋକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ୧୫ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟକୁ ଆଧାର କରି ବିଚାରପତି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ପୀଡ଼ିତାଙ୍କ ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।