ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୯।୪: ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତ ବୁଲୁ ବେହେରା (୨୪)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହିଞ୍ଜିଳିକାଟୁର ହୋଇଥିବା ବେଳେ ସେ ସଦର ଥାନା ଅଞ୍ଚଳରେ ରହୁଥିଲେ। ବିଚାରପତି ବୁଲୁଙ୍କୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଅଭିଯୁକ୍ତଙ୍କୁ ଦୁଇଟି ଦଫାରେ ୪୩ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ଅତିରିକ୍ତ ସାଢ଼େ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବାକୁ ରାୟ ଦେଇଛନ୍ତି। ବୁଲୁ ଗିରଫ ପରଠାରୁ ମଣ୍ଡଳ କାରାଗାରରେ ଥିବାବେଳେ ମଙ୍ଗଳବାର ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ପୀଡିତାଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ କୋର୍ଟ ଜିଲା ଆଇନ୍‌ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ୨୦୨୧ ଏପ୍ରିଲ ୩୦ ରାତ୍ର ୮ ଟା’ରେ ଜଣେ ନାବାଳିକା ଟିଉଶନରୁ ଘରକୁ ଫେରୁଥିଲେ। ଲୋଚାପଡା ନିକଟ ଏକ ନିଛାଟିଆ ସ୍ଥାନରୁ ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ। ଏକ ବଗିଚା ନିକଟରେ ସେ ନାବାଳିକା ଛାତ୍ରୀଙ୍କୁ ଛୁରି ଦେଖାଇ ଭୟଭୀତ କରି ସେଠାରେ ବଳାତ୍କାର କରିଥିଲେ। ପୋଲିସ ନଂ.୧୩୨/୨୧ରେ ଏକ ମାମଲା ରୁଜୁ କରିଥିଲା। ମାମଲାର ବିଚାର ବେଳେ ୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।