ହରିଣ ଶିକାର କରି ବନ୍ଧା ହେଲେ ୨ ଯୁବକ

ଚାନ୍ଦବାଲି,୨୭।୧(ଡି.ଏନ୍‌.ଏ.): ହରିଣ ଶିକାର କରି ମାଂସ ଚାଲାଣ ଅଭିଯୋଗରେ ଧାମରା ବନବିଭାଗ ୨ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସେକ୍‌ ହୁସେନ ଓ ମୋତିଲାଲ ମଣ୍ଡଳ।

ମିଳିଥିବା ସୂଚନା ମୁତାବକ, ହରିଣ ମାଂସ ଚାଲାଣ ହୋଇଥିବା ନେଇ ବନ ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏନେଇ ଫରେଷ୍ଟର କୁମୁଦ ସାହୁ ଓ ପ୍ରଶାନ୍ତ ସାହୁ ଧାମରା ନିକଟସ୍ଥ କାଳିନାଳି ଘାଟରେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନେ ଏକ ବୋଟୂ ସହ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୨୦ କିଲୋ ମାଂସ ଜବତ କରିଥିଲେ। ଗିରିଫ ଅଭିଯୁକ୍ତ ଦ୍ୱୟ ଏହାକୁ ଘୁଷୁରୀ ମାଂସ କହୁଥିବା ବେଳେ ଫରେଷ୍ଟେର ଗ୍ରହଣ ନ କରି ପରୀକ୍ଷା ପାଇଁ ଫରେନସିକ ଲାବୋରୋଟୋରିକୁ ପାଇଁ ପଠାଇଥିବା ଜଣାପଡିଛି। ଏନେଇ ବନ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।