ସମ୍ବଲପୁର, ୧୯।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ୧୫ତାରିଖରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦ୍ବୟ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା ଶିକ୍ଷୟିତ୍ରୀ ଦ୍ବୟ ହେଲେ ଉକ୍ତ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସର୍ମିଷ୍ଠା ପଲେଇ ଓ କସ୍ତୁରୀ ଜେନା। ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଧନକଉଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ କରନ ଶର୍ମା ସୋମବାର ଉଭୟଙ୍କୁ ନିଲମ୍ବନ କରିଥିବା ଜଣା ପଡ଼ିଛି । ନିଲମ୍ବିତ ଅବଧିରେ ଶିକ୍ଷୟିତ୍ରୀ ସର୍ମିଷ୍ଠା ପଲେଇଙ୍କୁ କୁଦ-ଅମଲିପାଲି ଓ କସ୍ତୁରୀ ଜେନାଙ୍କୁ ପାଣ୍ଡିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇ ବିନା ଅନୁମତିରେ ହେଡକ୍ବାଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଯୋଗ୍ଯ ଯେ, ବିଦ୍ୟାଳୟରେ ଶୌଚାଳୟ ସଫେଇ କାର୍ଯ୍ଯକୁ ନେଇ ଉଭୟ ଶିକ୍ଷୟିତ୍ରୀଙ୍କ ମଧ୍ଯରେ ପ୍ରଥମେ କଥା କଟାକଟି ପରବର୍ତ୍ତି କାଳରେ ଉଗ୍ର ରୂପ ଧାରଣ କରି ମାରପିଟରେ ରୂପାନ୍ତରିତ ହୋଇଥିଲା।ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଶିକ୍ଷୟିତ୍ରୀ ଦ୍ବୟଙ୍କ ଏଭଳି ମାଡ଼ପିଟକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ସ୍ଥାନୀୟ ବାସିନ୍ଦା ଧନକଉଡ଼ା ବିଇଓଙ୍କ ନିକଟେ ମଧ୍ଯ ଉଭୟ ଶିକ୍ଷୟିତ୍ରୀଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାପରେ ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

