କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବାପାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ବାଲେଶ୍ୱର ଜିଲା ସୋର ପୌରପାଳିକା ଅନ୍ତର୍ଗତ ତୁଣ୍ଡପଡା ଗ୍ରାମର ଗଣେଶ ବାରିକ (୪୫) ତାଙ୍କ ଜମିରୁ ଦୁଇ ପୁଅଙ୍କୁ ଭାଗ ନ ଦେବାରୁ ଦୀର୍ଘଦିନ ଧରି ବାପା ଓ ଦୁଇ ପୁଅଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଶୁକ୍ରବାର ବଡ଼ପୁଅ କିରଣ କୁମାର ବାରିକ (୨୩) ଓ ସାନପୁଅ କ୍ଷୀରୋଦ କୁମାର ବାରିକ (୧୯) ଗଣେଶଙ୍କୁ ସୋର କୋର୍ଟ ନିକଟକୁ ଡକାଇଥିଲେ। ସେଠାରେ ବଚସା ହେବା ପରେ ଦୁଇ ପୁଅ ବାପା ଗଣେଶଙ୍କୁ ଏକ ତେଲେଙ୍ଗା କଟୁରୀରେ ଆକ୍ରମଣ କରିଥିଲେ। ଏଥିରେ ଗଣେଶ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଛି। ସାନପୁଅ କ୍ଷୀରୋଦଙ୍କୁ ସ୍ଥାନୀୟ ଲୋକେ କାବୁ କରି ସୋର ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ବଡ଼ପୁଅ କିରଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

 

Dharitri – Odisha’s No.1 Odia Daily

 

Share