ଅମରପାଲି,୨୯/୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଦୁଇ ଜଣ ଛାତ୍ରୀ ଜାତୀୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଚୟନ ହୋଇଛନ୍ତି। ଚଳିତ ଜୁଲାଇ ୨୬ ଓ ୨୭ ତାରିଖରେ ଦୁଇ ଦିନ ଧରି ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ ସ୍ତରୀୟ ବକ୍ସିଂ ଚୟନ ପ୍ରତିଯୋଗିତା। ଏଥିରେ ସୁବର୍ଣ୍ଣପୁର ଜିଲା ଦୌଡ଼କୁଦ ସଂଘ ତରଫରୁ ବକ୍ସିଂ ପ୍ରତିଯୋଗିତା ରେ ତିନି ଜଣ ପ୍ରତିଯୋଗୀ ଉପ କନିଷ୍ଠ ବିଭାଗ ପାଇଁ ଅଂଶ ଗ୍ରହଣ କରିଥିଲେ।
ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ସାନକିରାସିରା ଗ୍ରାମର ଝରଣା ନାଏକ ଓ ନିବେଦିତା ବେହେରା ଏବଂ ଉକ୍ତ ପଞ୍ଚାୟତର ଯୁବରାଜପୁର ଗ୍ରାମର ସ୍ମୁତିମୟୀ ସାହୁ ଏହି ରାଜ୍ୟ ସ୍ତରୀୟ ଚୟନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ଝରଣା ନାଏକ ୪୩ କିଗ୍ରା ବର୍ଗରେ ଓ ନିବେଦିତା ବେହେରା ୪୩ କିଗ୍ରା ବର୍ଗରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ସୁବର୍ଣ୍ଣପୁର ଜିଲା ପାଇଁ ଗୌରବ ଆଣିଛନ୍ତି।
ଚୟନ ହୋଇଥିବା ଦୁଇ ଜଣ ଛାତ୍ରୀ ଆସନ୍ତା ଅଗଷ୍ଟ ଦିତୀୟ ସପ୍ତାହରେ ଦିଲ୍ଲୀ ଗ୍ରେଟର ନୋଏଡାରେ ହେବାକୁ ଥିବା ଜାତୀୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ତାଙ୍କର କୋଚ ରାଜେଶ ମେଣ୍ଡିଲୀ ପ୍ରକାଶ କରିଛନ୍ତି। ଉଭୟ କ୍ରୀଡାବିତ ତାଙ୍କ ଏହି ସଫଳତା ପାଇଁ ଏବେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ କ୍ରୀଡ଼ା ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ଠାରୁ ପ୍ରଶଂସା ପାଉଛନ୍ତି।
ଏହି ଦୁଇ ପ୍ରତିଯୋଗୀଙ୍କ ସଫଳତା ପାଇଁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ଜିଲା ଦୌଡକୁଦ ସଂଘର ସମ୍ପାଦକ ପୀୟୂଷ ପଣ୍ଡା, ଜିଲା ଆମେଚର ବକ୍ସିଂ ସଂଘ ସଭପତି ରାମ କୁମାର ସାହୁ ଓ ସମ୍ପାଦକ ବ୍ରଜ ଗୋପାଳ ପଣ୍ଡା ଏବଂ ଟିମ ମ୍ୟାନେଜର ରାଜେଶ ମେଣ୍ଡିଲି ଶୁଭେଚ୍ଛା ଜ୍ଞାପନ କରିଛନ୍ତି l ଉକ୍ତ ଚୟନ ପ୍ରତି ଯୋଗୀତା ସୃତିମୟୀ ସାହୁ ଯୋଗ ଦେଇ ତୃତୀୟ ସ୍ଥାନ ହାସଲ କରିଥିଲେ l ଜାତୀୟ ସ୍ତରୀୟ ବକ୍ସିଂ ପାଇଁ ଚୟନ ହୋଇଥିବା ଝରଣା ନାଏକ ଏବେ କମିରାସ୍ଥିତ ବାପୁଜୀ ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ନିବେଦିତା ବଡକିରାସିରା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛନ୍ତି।

