ପେଟ୍ରୋଲ ପମ୍ପ୍‌ରୁ ୨୦ ଲକ୍ଷ ଲୁଟ୍‌

କେନ୍ଦୁଝର,୨୧ା୩(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ପଦ୍ମପୁର ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ସୋମବାର ୨୦ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତେଲ ପକାଇବା ବାହାନାରେ ଆସି ୬ ଦୁର୍ବୃତ୍ତ ଏହି ଲୁଟ୍‌ କରିଛନ୍ତି।

ସୂଚନାନୁସାରେ, ସକାଳୁ ପଦ୍ମପୁର ପଟୁ  ବାଇକ୍‌ରେ ଏହି ଲୁଟେରାମାନେ ମୁଖାପିନ୍ଧି ପ୍ରଥମେ ପେଟ୍ରୋଲ ପମ୍ପରେ ପ୍ରବେଶ କରିଥିଲେ। ଡିଉଟିରେ ଥିବା ଜୟ ପ୍ରକାଶ ଦେହୁରୀ, ତପନ ଖଟୁଆଙ୍କୁ ପ୍ରଥମେ ଦୁଇ ବାଇକ୍‌ରେ ପେଟ୍ରୋଲ  ପକାଇଥିଲେ। ପରେ ହଠାତ୍‌ ସେଠାକାର ସୁରକ୍ଷାକର୍ମୀ ମଧୁସୂଦନ ଆପଟ୍ଟ ଉଭୟ କର୍ମଚାରୀଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ କାର୍ଯ୍ୟାଳୟ ମ୍ୟାନେଜରଙ୍କ ପାଖକୁ ଆଣିଥିଲେ। ମ୍ୟାନେଜର ଶୈଳେଶ ମହାନ୍ତିଙ୍କୁ ମଧ୍ୟ ଏହି ଅସ୍ତ୍ରସସ୍ତ୍ର ଦେଖାଇ ଟଙ୍କା ମାଗି ଧରିବା ପରେ ଲୁଟେରାମାନେ ବଡ଼ବିଲ ଅଭିମୁଖେ ଚାଲିଯାଇଛନ୍ତି ବୋଲି ପେଟ୍ରୋଲ ପମ୍ପ କର୍ମଚାରୀମାନେ କହିଛନ୍ତି। ତେବେ ଏହି ବଡ଼ଧରଣର ଡକାୟତରେ ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନାହିଁ। ପେଟ୍ରୋଲ ପମ୍ପ ମାଲିକ ଏହି ଘଟଣା ବିଷୟରେ ଜାଣିବା ପରେ ସଦର ଥାନାରେ ଅଭିଯୋଗ କରିଛନ୍ତି।

ଥାନାଧିକାରୀ ଜୟନାରାୟଣ ଖଣ୍ତାଇ,ଏସ୍‌ଆଇ ସୂର୍ଯ୍ୟ କୁମାର ପାତ୍ର ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଘଟଣା ସ୍ଥଳରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ପୋଲିସ ଅଧିକ ତଦନ୍ତ ପାଇ ଥାନାକୁ ଜେରା ପାଇଁ ନେଇଛି। ତେବେ ପେଟ୍ରୋଲପମ୍ପରେ ୧୦ଦିନ ହେବ ଖରାପ ହୋଇଯାଇଥିବାରୁ ତାଙ୍କର କିଛି ସୁରାଗ ମିଳିପାରିନି।

ସବୁଠାରୁ ବଡ଼କଥା ହେଲା ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଚୋରି ଡକାୟତି ରାଜହାନି ଭଳି ଅପରାଧ ବଢିବାକୁ ଲାଗୁଛି। ମାତ୍ର ଏହାକୁ ରୋକିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଜିଲା ପୋଲିସ ପ୍ରଶାସନ ଘଟୁଥିବା ଏହି ଅପରାଧ ପ୍ରତି ଅଧିକ ଗୁରୁତ୍ୱ ଦେବା ସହ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି।