ପ୍ରାଣୀଧନ ନିରୀକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ଦୁଇ ଗୁରୁତର

ଆନନ୍ଦପୁର,୨୬ା୭(ସନ୍ତୋଷ ରାଉତ): ପ୍ରାଣୀଧନ ନୀରିକ୍ଷକଙ୍କ ଉନ୍ମତ୍ତ କାଣ୍ଡରେ ଦୁଇ ଜଣ ଗୁରୁତର ହୋଇ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସମ୍ପୃକ୍ତ ପ୍ରାଣୀଧନ ନିରୀକ୍ଷକ ଅପରେଶନ ବ୍ଲେଡରେ ଜଣଙ୍କ ବେକକୁ କାଟିଥିବା ବେଳେ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବକଙ୍କ ପେଟରେ ବ୍ଲେଡ୍‌ ବାଜି କଟିଯାଇଛି। ଘଟଣା ଜଣାପଡ଼ିବା ପରେ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ପ୍ରାଣୀଧନ ନିରୀକ୍ଷକଙ୍କୁ କାବୁ କରି ଥାନାକୁ ଆଣିଛି। ଏଭଳି ଘଟଣା ଘସିପୁରା ଥାନା କୋଳିମାଟିଠାରେ ଦେଖିବାକୁ ମିଳିଛି। କୋଳିମାଟି ପ୍ରାଣୀ ଚିକିତ୍ସା କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ ଶିବୁଲ ନାୟକ ପ୍ରଥମେ ଗାଁଛକଠାରେ ମଦ୍ୟପ ଅବସ୍ଥାରେ ଶିବ ସୁନ୍ଦର ପ୍ରଧାନ ନାମକ ବ୍ୟକ୍ତିଙ୍କୁ ଗାଳିଗୁଲଜ କରିଥିଲେ। ଘଟଣାକୁ ନେଇ ଉଭୟ ଶିବ ସୁନ୍ଦର ଓ ଶିବୁଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ମଧ୍ୟରେ ଶିବ ସୁନ୍ଦର ଶିବୁଲଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରାଣୀଧନ ନିରୀକ୍ଷକ ଶିବୁଲ ନିଜ ପକେଟରେ ରଖିଥିବା ଅପରେଶନ୍‌ ବ୍ଲେଡ୍‌ ସହାୟତାରେ ଶିବସୁନ୍ଦରଙ୍କ ବେକକୁ କାଟି ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଶିବସୁନ୍ଦରଙ୍କ ସାଙ୍ଗ ରାଜୁ ରଣା ଛଡ଼ାଇବାକୁ ଆସିଥିବା ବେଳେ ସେ ବ୍ଲେଡ୍‌ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ତାଙ୍କ ପେଟ କଟିଯାଇଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଶିବସୁନ୍ଦରଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାର ସୂଚନା ପାଇ ଘସିପୁରା ଥାନାଧିକାରୀ ବିକ୍ରମ କୁମାର ଭୂୟାଁ ସଦଳବଳ ପହଞ୍ଚି ଶିବୁଲଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଥିବା ସୂଚନା ଦେଇଛନ୍ତି।