ଇନୋଭା ଉପରେ ଓଲଟିପଡ଼ିଲା ବସ୍‌: ୨ ମୃତ, ୧୨ ଗୁରୁତର

ମାଧପୁର, ୨।୧୧: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ଥାନାର କିଆକଟା ବୌଦ୍ଧ ତ୍ରିବେଣୀ ଛକରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଇନୋଭା ଉପରେ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ୧୨ ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ, ସମ୍ବଲପୁରରୁ ବୌଦ୍ଧ ଅଭିମୁଖେ ଏକ ଯାତ୍ରୀବାହୀ ବସ୍‌ ଯାଉଥିଲା। କୌଣସି କାରଣରୁ ବସ୍‌ଟି ଭାରସାମ୍ୟ ହରାଇ ଛକ ଉପରେ ଛିଡାହୋଇଥିବା ଏକ ଇନୋଭା କାର ଉପରେ ଓଲଟି ପଡିଥିଲା। ଫଳରେ ବସ୍‌ର ହେଲପର ଏବଂ କାରର ଡ୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଯାତ୍ରୀବାହୀ ବସ୍‌ରେ ଥିବା ୧୨ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ କିଆକଟା ପୋଲିସ ଆଇଆଇସି ଅନାମ ଲାକ୍ରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହିତ ଘଟଣାର ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି। ମୃତକ ଏବଂ ଆହତଙ୍କ ପରିଚୟ ମିଳିପାରି ନାହିଁ ।