ଚଳିତ ଶିକ୍ଷାବର୍ଷରୁ କଞ୍ଚୁରୁ ହାଇସ୍କୁଲରେ ଯୁକ୍ତଦୁଇ କଳା ପାଠ୍ୟକ୍ରମ

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଶିକ୍ଷାବର୍ଷ ୨୦୨୩-୨୪ରୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଧୀନ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବୀକୃତି ଲାଭ କରିଛି। ଗୁରୁବାର ସ୍କୁଲ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଏଲ୍‌ ଗୌରୀଆଚାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍‌ ଗିରିଧର, ବିଦ୍ୟାଳୟର ପରିଚାଳନା ସଭାପତି ଜୟସେନ ମହାନ୍ତି, କଞ୍ଚୁରୁ ସରପଞ୍ଚ ମଦନ ମୋହନ ସେଠୀ, ମହନ୍ତ ହରିହର ଦାସଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ସ୍କୁଲର ପାଠ୍ୟ ପରିବେଶ ଓ ସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିଥିବାରୁ ଖୁସି ବ୍ୟକ୍ତ କରିଥିଲେ। କିଛି ଛାତ୍ରୀଛାତ୍ର ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ମଧ୍ୟ ଖୋଲିଲେ ବହୁତ ଭଲ ହେବ ବୋଲି ମତବ୍ୟକ୍ତ କରିଥିଲେ। ଆଖପାଖ ଅଞ୍ଚଳର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଭିଭାବକ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିବା ସହ ଚଳିତବର୍ଷ ଶିକ୍ଷାରେ ପିଲାମାନଙ୍କୁ ନାମ ଲେଖା ନିମନ୍ତେ ଉତ୍ସାହିତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।