ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର ଶୁକଦେବ ରେଡ୍ଡୀ ଏବଂ ଦୟା ରେଡ୍ଡୀଙ୍କୁ ଚିକିଟି ଏସ୍ଡିପିଓ ବିଶ୍ୱାମିତ୍ର ହରପାଲ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେ.ନୂଆଗାଁ ଥାନା ମାମଲା ନଂ.୯୩/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଗତ ଶନିବାର ସକାଳେ ଗ୍ରାମର ଅବସରପ୍ରାପ୍ତ ଇଞ୍ଜିନିୟର ଶଙ୍କର ନାରାୟଣ ସୁବୁଦ୍ଧିଙ୍କ ପ୍ରରୋଚନାରେ ଗୋଟିଏ ଗୋଷ୍ଠୀର ଯୁବକମାନେ ହୋଲି ଶୋଭାଯାତ୍ରା ଆୟୋଜନ କରି ପ୍ରତିପକ୍ଷ ଗୋଷ୍ଠୀର ଯୁବକମାନେ ହୋଲି ଖେଳୁଥିବା ବେଳେ ସେମାନଙ୍କୁ ଧମକ ଦେଇଥିଲେ। ୨ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଗାଁ ଛକରେ କାଳିଆ ପ୍ରଧାନ ଠିଆ ହୋଇଥିବା ବେଳେ ଅପର ଗୋଷ୍ଠୀର ପୂର୍ବତନ ସରପଞ୍ଚ କେ.ହରିବନ୍ଧୁ ରେଡ୍ଡୀ, କେ. ଦୟା ରେଡ୍ଡୀ, କେ.କାମେଶ୍ୱର ରେଡ୍ଡୀ ଏବଂ ଏସ୍.ଶୁକଦେବ ରେଡ୍ଡୀ ତାଙ୍କୁ ଆକ୍ରମଣ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଏନେଇ କେ.ନୂଆଗାଁ ଥାନାରେ ଏତଲା ଦିଆଯିବା ପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତମାନଙ୍କ ନାଁରେ ମୋକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ୍ଡିପିଓ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।


