ଟେକ୍ସାସରେ ମିଳିଲା ୧୯୦ ବର୍ଷ ପୁରୁଣା ଲୁହା କମାଣ ଗୋଳା

ସାନ୍‌ ଆଣ୍ଟୋନିଓ (ଟେକ୍ସାସ),୨୭ା୬:ଆମେରିକାର ଟେକ୍ସାସ ପ୍ରଦେଶରେ ଥିବା ପ୍ରସିଦ୍ଧ ‘ଆଲାମୋ’ ଐତିହାସିକ ସ୍ଥଳରୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ଅକ୍ଷତ ଲୁହା କମାଣ ଗୋଳା (କ୍ୟାନନ୍‌ବଲ୍‌) ପାଇଛନ୍ତି। ଏହା ୧୮୩୬ ମସିହାରେ ହୋଇଥିବା ପ୍ରସିଦ୍ଧ ‘ଆଲାମୋ ଯୁଦ୍ଧ’ ସମୟର ବୋଲି ଗବେଷକମାନେ ନିଶ୍ଚିତ କରିଛନ୍ତି। ଏହି ଐତିହାସିକ ପୀଠରୁ ଅକ୍ଷତ ଅବସ୍ଥାରେ ମିଳିଥିବା ଏହି ଗୋଳା ହେଉଛି ଦ୍ୱିତୀୟ ପ୍ରତ୍ନତାତ୍ତ୍ୱିକ ସାମଗ୍ରୀ। ଭୂପୃଷ୍ଠରୁ ମାତ୍ର ୧ ମିଟର ଗଭୀରରେ ମାଟି ତଳେ ଚାପି ହୋଇ ରହିଥିବା ଏହି ୬ ପାଉଣ୍ଡ୍‌ (ପ୍ରାୟ ୨.୭ କିଲୋଗ୍ରାମ) ଓଜନର ଲୁହା ଗୋଳାଟିକୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚରେ ଏହି ଗବେଷକ ଦଳ ଏହି ସ୍ଥାନରୁ ମାତ୍ର ୬ ଫୁଟ ଦୂରରେ ୪ ପାଉଣ୍ଡ୍‌ ଓଜନର ଏକ ବ୍ରୋଞ୍ଜ (କଂସା) ଗୋଳା ପାଇଥିଲେ।
ଆଲାମୋ ଟ୍ରଷ୍ଟର ପ୍ରତ୍ନତତ୍ତ୍ୱ ବିଭାଗ ନିର୍ଦ୍ଦେଶିକା ଡ. ଟିଫାନୀ ଲିଣ୍ଡଲେ୍‌ ଏହି ଖନନ ଅଭିଯାନର ନେତୃତ୍ୱ ନେଉଥିଲେ। ସେ ଏହି ଆବିଷ୍କାରର ବିରଳତା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଲାମୋ ଯୁଦ୍ଧ ପରେ ମେକ୍ସିକୋ ସେନା ସେହି ସ୍ଥାନରୁ ସମସ୍ତ ବ୍ୟବହୃତ ଓ ଅବଶିଷ୍ଟ ଗୋଳାବାରୁଦ ଏବଂ ଅସ୍ତ୍ରଶସ୍ତ୍ର ଜବତ କରି ନିଜ ସାଙ୍ଗରେ ନେଇଯାଇଥିଲେ। ସେହି ସମୟରେ ମେକ୍ସିକୋ ସେନାର ନଜରରୁ ଏହି ଦୁଇଟି ଗୋଳା ବଞ୍ଚିଯାଇଥିଲା ଏବଂ ଦୀର୍ଘ ୧୯୦ ବର୍ଷ ଧରି ମାଟି ତଳେ କାହାରି ନଜରକୁ ନ ଆସି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିଲା, ଯାହା ଏକ ଆଶ୍ଚର୍ଯ୍ୟର ବିଷୟ। ଗବେଷକଙ୍କ ଅନୁଯାୟୀ, ବ୍ରୋଞ୍ଜ ଗୋଳାଟି ମେକ୍ସିକୋ ସେନାର ଥିବାବେଳେ ଏହି ନୂତନ ଲୁହା ଗୋଳାଟିକୁ ଟେକ୍ସାସର ସ୍ଥାନୀୟ ଯୋଦ୍ଧାମାନେ ବ୍ୟବହାର କରିଥିଲେ।
ଆଲାମୋ ଯୁଦ୍ଧକୁ ଟେକ୍ସାସ ବିପ୍ଳବର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ସଂଗ୍ରାମ ଭାବେ ବିବେଚନା କରାଯାଏ। ଏହି ଯୁଦ୍ଧ ପରେ ହିଁ ଟେକ୍ସାସ ମେକ୍ସିକୋଠାରୁ ସ୍ବାଧୀନତା ଲାଭ କରି ପ୍ରାୟ ଏକ ଦଶନ୍ଧି ଧରି ଏକ ସ୍ବତନ୍ତ୍ର ଗଣରାଜ୍ୟ ଭାବେ ରହିଥିଲା ଏବଂ ପରବର୍ତ୍ତୀ ସମୟରେ ଆମେରିକା (ୟୁଏସ୍‌)ର ଏକ ପ୍ରଦେଶ ଭାବେ ସାମିଲ ହୋଇଥିଲା। ଟେକ୍ସାସର ସ୍ଥାନୀୟ ବାସିନ୍ଦା ଏବଂ ସେଠାରେ ଜନ୍ମଗ୍ରହଣ କରିଥିବା ମେକ୍ସିକୀୟ, ଆମେରିକୀୟମାନେ ମିଳିତ ଭାବେ ମେକ୍ସିକୋ ସେନା ବିରୋଧରେ ୧୩ ଦିନ ଧରି ଏହି ସ୍ଥାନକୁ ରକ୍ଷା କରିବା ପାଇଁ ଲଢ଼େଇ କରିଥିଲେ। ବର୍ତ୍ତମାନ ଏହି ବିଶ୍ୱ ଐତିହ୍ୟ ସ୍ଥଳର ସଂରକ୍ଷଣ ପାଇଁ ‘ଆଲାମୋ ଟ୍ରଷ୍ଟ’ ପକ୍ଷରୁ ୭୦୦ ମିଲିୟନ ଆମେରିକୀୟ ଡଲାରର ଏକ ବୃହତ୍‌ ନବୀକରଣ ପ୍ରକଳ୍ପ ହାତକୁ ନିଆଯାଇଛି। ଏଠାରେ ଏକ ଭବ୍ୟ ପର୍ଯ୍ୟଟନ କେନ୍ଦ୍ର ଏବଂ ସଂଗ୍ରହାଳୟ ନିର୍ମାଣ କରାଯାଉଛି, ଯାହା ୨୦୨୮ରେ ଜନସାଧାରଣଙ୍କ ପାଇଁ ଖୋଲିବ। ଏହି ସଂଗ୍ରହାଳୟରେ ନୂତନ ଭାବେ ଉଦ୍ଧାର ହୋଇଥିବା ଗୋଳା ସମେତ ସେହି ସମୟର ଅନେକ ଦୁର୍ଲଭ ସାମଗ୍ରୀ ପ୍ରଦର୍ଶିତ ହେବ। ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପାଇଥିବା ଏହି ସ୍ଥାନରୁ ମିଳିଥିବା ଆର୍ଟିଫାକ୍ଟ ବା ଐତିହାସିକ ସାମଗ୍ରୀଗୁଡ଼ିକ ପୁରୁଣା ଇତିହାସକୁ ଜୀବନ୍ତ କରିବା ସହ ପୂର୍ବପୁରୁଷଙ୍କ ବଳିଦାନକୁ ସମ୍ମାନ ଜଣାଇବାରେ ବଡ଼ ସାହାଯ୍ୟ କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share