୧୮ ସାଇକେଲ ଜବତ, ଧରାପଡ଼ିଲେ ୨ ଚୋର

ହିଞ୍ଜିଳିକାଟୁ,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଆଖପାଖ ଅଞ୍ଚଳରୁ ପରିବା ବଜାର, ବସ୍‌ଷ୍ଟାଣ୍ଡ, କୋଚିଂ ସେଣ୍ଟର ଆଦି ଜନଗହଳିପୂର୍ଣ୍ଣ ସ୍ଥାନରୁ ସାଇକେଲ ଚୋରି କରୁଥିବା ୨ଜଣ ଲୁଟେରାଙ୍କୁ ଗୁରୁବାର ହିଞ୍ଜିଳି ପୋଲିସ ଗିରଫ କରିଛି। ସେମାନେ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ପଙ୍କଳବାଡି ଗ୍ରାମର ସାଗର ନାହାକ(୨୬) ଏବଂ ରଜନୀକାନ୍ତ ନାହାକ(୨୭)। ପୋଲିସ ତାଙ୍କଠାରୁ ୧୮ଟି ଚୋରି ସାଇକେଲ ଜବତ କରିଛି ।

ମିଳିଥିବା ସୂଚନା ମୁତାବକ, ହିଞ୍ଜିଳି ଥାନା ଆଙ୍କୋରଡା ଗ୍ରାମର ପ୍ରହଲ୍ଲାଦ ଗଉଡ଼ ଶିବରାତ୍ରିରେ ଆଙ୍କୋରଡା କପିଳେଶ୍ୱର ମନ୍ଦିର ସମ୍ମୁଖରେ ସାଇକେଲରେ ତାଲା ପକାଇ ରଖିଥିଲେ। ସେ ମନ୍ଦିର ଦର୍ଶନ ସାରି ଫେରିବା ବେଳେ ସେ ତାଙ୍କ ସାଇକେଲ ପାଇ ନ ଥିଲେ। ସାଇକେଲ ଚୋରି ହୋଇଥିବା ଜାଣି ପ୍ରହଲ୍ଲାଦ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୧୧/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ବୁଧବାର ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମକୁ ଚୋରି ସାଇକେଲ ବିକ୍ରି ପାଇଁ ଆସିଥିବା ସାଗରଙ୍କୁ ପୋଲିସ ଧରି ପଚରାଉଚରା କରିଥିଲା। ସେତିକିବେଳେ ସାଗର ଗାଁର ସାଙ୍ଗ ରଜନୀକାନ୍ତଙ୍କ ସହ ମିଶି ହିଞ୍ଜିଳିକାଟୁ, ପିତଳ, ବ୍ରାହ୍ମଣଛାଈ ଆଦି ଗ୍ରାମରୁ ସାଇକେଲ ଚୋରି କରିଥିବା ସ୍ବୀକାର କରିଥିଲେ। ପରେ ପୋଲିସ ଚଢାଉ କରି ଘର ବାରିପଟେ ଲୁଚାଇ ରଖିଥିବା ୧୮ଟି ଚୋରି ସାଇକେଲ ଜବତ କରିଛି। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଇଁଚବଣିଆ ଗାୟତ୍ରୀ ନଗରର ଏକ ଦୋକାନରୁ ଗତ ୮ତାରିଖ ରାତିରେ ତାଲା ଭାଙ୍ଗି ଖୁଚୁରା ଟଙ୍କା ପଇସା ଚୋରି ଘଟଣାରେ ଉଭୟଙ୍କ ସମ୍ପୃକ୍ତି ଥିବା ପୋଲିସ କହିଛି। ପୋଲିସ ଉଭୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି।