୧୭ରୁ ଆଞ୍ଚଳିକ କଳିଙ୍ଗ ହର୍ବାଲ୍‌ ମେଳା

ରାଉରକେଲା ଅଫିସ,୮ା୧୧: ଆସନ୍ତା ୧୭ ତାରିଖରୁ ସେକ୍ଟର-୫ ସ୍ଥିତ ଭଞ୍ଜଭବନ ପଡିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଅନୁଷ୍ଠିତ ହେବ। ଏହି ମେଳା ରାଉରକେଲା ବନଖଣ୍ଡ ଓ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେବ ବୋଲି ପାନପୋଷ ସ୍ଥିତ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଡିଏଫ୍‌ଓ ଯଶୋବନ୍ତ ସେଠୀ ସୂଚନା ଦେଇଛନ୍ତି।
ଡିଏଫ୍‌ଓ ସେଠୀ କହିଥିଲେ, ଏହି ମେଳାରେ ଓଡିଶାର ୩୦ଟି ଜିଲାରୁ ହର୍ବାଲ ଓ ଆର୍ୟୁବେଦ ବୈଦ୍ୟମାନେ ଯୋଗଦେଇ ପ୍ରାକୃତିକ ଚିକିତ୍ସାର ମହତ୍ତ୍ୱ ଓ ଉପକାରିତା ଉପରେ ଅବଗତ କରାଇବେ। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୬୦ ଜଣ ପଞ୍ଜୀକରଣ କରିସାରିଥିବାବେଳେ ସମୁଦାୟ ୮୦ଟି ଷ୍ଟଲ୍‌ ବସିବ। ହର୍ବାଲ୍‌ ଓ ଔଷଧୀୟ ଗଛର ଚାଷ ଉପରେ ମଧ୍ୟ ଲୋକଙ୍କୁ ସଚେତନ କରାଯିବ। ଏହାସହିତ ମେଳାରେ ସ୍ବଂୟ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି, ଔଷଧୀୟ ବୃକ୍ଷ ବିତରକ, ସରକାରୀ ଓ ବେସରକାରୀ ସଂସ୍ଥାମାନେ ପ୍ରତିନଧିତ୍ୱ କରିବେ। ପ୍ରଥମ ଥରପାଇଁ ଅର୍ଗାନିକ ଫୁଡ୍‌ ବ୍ୟବସ୍ଥା କରାଯିବ। ବୈଦ୍ୟମାନେ ମାଗଣାରେ ବିଭିନ୍ନ ରୋଗ ଉପରେ ପରାମର୍ଶ ଦେବେ। ଏହି ୫ ଦିନିଆ ମେଳାରେ ବିଭିନ୍ନ ଔଷଧୀୟ ଗଛ ସାଙ୍ଗକୁ, ଜଡିବୁଟି ଚିକିତ୍ସା ପଦ୍ଧତି ଓ ହର୍ବାଲ ସଚେତନତା ପାଇଁ ଏକ ଡିସ୍‌ପ୍ଲେ କରାଯିବ। ଏହାସହ ଓଡିଶାର ପାରମ୍ପପାରିକ ନୃତ୍ୟ ଓ କଳା ପରିବେଷଣ କରାଯିବ ବୋଲି ଡିଏଫ୍‌ଓ ସେଠୀ ଖବରଦାତା ସମ୍ମିଳନୀରେ କହିଥିଲେ। ଏସିଏଫ୍‌ଓ ସୌମ୍ୟରଞ୍ଜନ ଗୋଚ୍ଛାୟତ, ସଲବିନ୍ଦର ସିଂ ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କା ଉପସ୍ଥିତ ଥିଲେ।