୧୭୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ କଣ୍ଟେନର, କାର୍‌ ଜବତ

ବ୍ରହ୍ମପୁର ଅଫିସ,୧୨ା୬: ଅବକାରୀ ଗୋଇନ୍ଦା ଟିମ୍‌ ସୋମବାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଏକ କଣ୍ଟେନର ଓ ଗୋଟିଏ କାରରୁ ଗଞ୍ଜେଇ ଜବତ କରିଛି। କାରରେ ଗଞ୍ଜେଇ ଚାଲାଣ କରୁଥିବା ଯୁବକଙ୍କୁ ଯାଞ୍ଚ ଟିମ୍‌ ଗିରଫ କରିଥିବା ବେଳେ କଣ୍ଟେନର ଚାଳକ ଫେରାର ଥିବା ସୂଚନା ମିଳିଛି। ଗିରଫ ଯୁବକ ଜଣକ ହେଲେ ଦଶପଲ୍ଲା ସିମିଳି ସାହିର ନାରାୟଣ ପ୍ରଧାନ(୨୮)। ନାରାୟଣ ଗଜପତିରୁ ଗଞ୍ଜେଇ ଆଣି ଚିକିଟି ଦେଇ ଭୁବନେଶ୍ୱର ଚାଲାଣ କରିଥାନ୍ତେ ବୋଲି ଜେରାବେଳେ ଜଣାପଡିଛି। ଗଜପତିରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ରବିବାର ବିଳମ୍ବିତ ରାତିରେ ଖବର ମିଳିଥିଲା।
ସେହିପରି ସୋମବାର ଭୋରରେ ଗୋଇନ୍ଦା ଇନ୍ସପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଗିରିସୋଲାରେ ଯାନବାହନ ଯାଞ୍ଚ କରିଥିଲା। ରାସ୍ତା କଡ଼ରେ ଦୀର୍ଘ ସମୟ ଛିଡ଼ା ହୋଇଥିବା କଣ୍ଟେଇନର (ଡବ୍ଲ୍ୟୁବି-୨୩ସି-୫୧୪୭)କୁ ଉକ୍ତ ଟିମ ଯାଞ୍ଚ କରିଥିଲା। ତେବେ ୫ ସେଥିରେ କୁଣ୍ଡା ବୋଝେଇ ହୋଇଥିଲା। ଯାଞ୍ଚ ବେଳେ ସେଥିରୁ ୩ଟି ବସ୍ତାରେ ଥିବା ୭୦କେଜି ଗଞ୍ଜେଇ ଜବତ ହୋଇଥିଲା। ଉକ୍ତ ଟିମକୁ ଦେଖି କଣ୍ଟେନରରେ ଗଞ୍ଜେଇ ଚାଲାଣକାରୀ ଚମ୍ପଟ ମାରିଛନ୍ତି। ସେଠାରୁ ଉକ୍ତ ଟିମ ଫେରୁଥିବା ବେଳେ ଚିକିଟି – ସୋରଳ ଜଙ୍କଶନରେ କାର ( ଓଆର ୦୨ ବିଏଫ ୫୭୮୫)କୁ ଅଟକାଇ ଯାଞ୍ଚ କରିଥିଲା। ସେଥିରୁ ୧୦୦ କେଜି ଗଞ୍ଜେଇ ଜବତ ହୋଇଛି।