ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ଏହି ବୈଠକରେ କଟକ ଏସ୍.ସି.ବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ସୁବିଧା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏସ୍.ସି.ବି କ୍ୟାମ୍ପସରେ ୬.୫୧ ଏକର ଜମିରେ ଏକ ୧୭ ମହଲା ବିଶିଷ୍ଟ ମଲ୍ଟି ଲେଭଲ୍ ପାର୍କିଂ ନିର୍ମାଣ ହେବ। ଏହାର ୧୨ ମହଲା ପର୍ଯ୍ୟନ୍ତ ଗାଡ଼ି ପାର୍କିଂ ସୁବିଧା ରହିବା ସହ ବାକି ମହଲାରେ ପ୍ରଶାସନିକ ବ୍ଲକ୍, ଆନାଟୋମୀ ବ୍ଲକ୍ ଏବଂ ଫାର୍ମା କଲେଜ କାର୍ଯ୍ୟକ୍ଷମ ହେବ।

ରାଜ୍ୟର ୭ଟି ପ୍ରମୁଖ ମେଡିକାଲ କଲେଜ (କଟକ, ବ୍ରହ୍ମପୁର, ବୁର୍ଲା, ସୁନ୍ଦରଗଡ଼, କୋରାପୁଟ, ବାରିପଦା ଓ ବଲାଙ୍ଗିର) କ୍ୟାମ୍ପସ୍ରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ ନିର୍ମାଣ କରାଯିବ।
ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବା ପାଇଁ ଇଣ୍ଡୋର ଗେମ୍ ଓ ସୁଇମିଂ ପୁଲ୍ ବ୍ୟବସ୍ଥା କରାଯିବ। ଏଥିସହ ନିର୍ମାଣାଧୀନ ୧୩ଟି ହାଉସିଂ ଟାୱାର କାମ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ପାଣିକୋଇଲି ଟ୍ରମା କେୟାର ସେଣ୍ଟରକୁ ପିପିପି (PPP) ମୋଡ୍ରେ କାର୍ଯ୍ୟକ୍ଷମ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିରେ କେନ୍ଦ୍ରୀୟ ପିଏସୟୁ (PSU) କିମ୍ବା ଅଭିଜ୍ଞ ଘରୋଇ ସଂସ୍ଥାକୁ ପ୍ରାଥମିକତା ମିଳିବ।
ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


