Categories: ବାଣିଜ୍ୟ

୧୬ରେ ଏସ୍‌ଏସ୍‌ଆଇ ସ୍ପୋର୍ଟସ ସାଇନ୍ସ ସମ୍ମିଳନୀ

ଭୁବନେଶ୍ୱର,୧୪।୧୨ (ଅଭୟ ଦାଶ): ଦେଶର ଅଗ୍ରଣୀ ସାମାଜିକ ପ୍ରତିଷ୍ଠାନ ସ୍ପୋର୍ଟସ ସାଇନ୍ସ ଇଣ୍ଡିଆ (ଏସ୍‌ଏସ୍‌ଆଇ) ପକ୍ଷରୁ ଚଳିତ ବର୍ଷ ଡିସେମ୍ବର ୧୬ରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଏକ ମେଗା କାର୍ଯ୍ୟକ୍ରମ ‘ଏସ୍‌ଏସ୍‌ଆଇ ସ୍ପୋର୍ଟସ ସାଇନ୍ସ ସମ୍ମିଳନୀ’ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଭାରତର ଜଣାଶୁଣା କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ ଓ ଡାକ୍ତରମାନେ ଯୋଗଦେଇ ବିଭିନ୍ନ ଦିଗ ଉପରେ ବିସ୍ତୃତଭାବେ ଆଲୋଚନା କରିବେ ବୋଲି ସ୍ପୋର୍ଟସ ସାଇନ୍ସ ଇଣ୍ଡିଆର ପ୍ରତିଷ୍ଠାତା ତଥା ସ୍ପୋର୍ଟସ ସର୍ଜନ ଡ. ସାର୍ଥକ ପଟ୍ଟନାୟକ ବୁଧବାର ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ଡ. ପଟ୍ଟନାୟକ କହିଥିଲେ, ଉକ୍ତ ସମ୍ମିଳନୀ ଜରିଆରେ କ୍ରୀଡ଼ା ଦୁନିଆର ସର୍ବୋତ୍ତମ ଦୁଇଟି କ୍ରୀଡ଼ା ଓ ଚିକିସତ୍ା ବିଜ୍ଞାନକୁ ଏକତ୍ର କରିବ। ବିଶେଷକରି ଗୋଟିଏ ଛାତ ତଳେ ଓଡ଼ିଶାରେ ତୃଣମୂଳ କ୍ରୀଡ଼ାକୁ ମଜଭୁତ କରିବାକୁ ବିଶେଷଜ୍ଞମାନେ ମତ ବିନିମୟ କରିବେ। ସେହିପରି ଦିନତମାମ ଉକ୍ତ ସମ୍ମିଳନୀ ଜରିଆରେ ଆଘାତ ନିବାରଣ, କ୍ରୀଡ଼ା ବିଜ୍ଞାନ ଓ ପୁନର୍ବାସ ଆଦି ଉପରେ ବିଭିନ୍ନ ଅଧିବେଶନ କରାଯିବ। ଏପରିକି କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ା ବିଭାଗ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏହାକୁ ଲକ୍ଷ୍ୟକରି ସ୍ପୋର୍ଟସ ସାଇନ୍ସ ଇଣ୍ଡିଆ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ମୁଖ୍ୟତଃ କ୍ରୀଡ଼ା ବିଜ୍ଞାନ ଉପରେ ସଚେତନ କରିବା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ସବୁଠୁ ବଡ଼ କଥା ହେଉଛି ଉକ୍ତ ସମ୍ମିଳନୀରେ ଭାରତର କ୍ରୀଡ଼ା କ୍ଷେତ୍ରରେ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ଯେଉଁଥିରେ କର୍ଣ୍ଣ ଆୱାର୍ଡ଼, ପାଇକ ଟିମ୍‌ ଆୱାର୍ଡ, ଏସ୍‌ଏସ୍‌ଆଇ ଏମର୍ଜିଂ ପ୍ଲେୟର ଆୱାର୍ଡ, ଦିଲୀପ ତିର୍କୀ ଗ୍ରାସରୁଟ୍‌ ଆୱାର୍ଡ, ଏସ୍‌ଏସ୍‌ଆଇ କୋଚ୍‌ ଆୱାର୍ଡ, ଏସ୍‌ଏସ୍‌ଆଇ ଲାଇଫ୍‌ ଟାଇମ୍‌ ଆୱାର୍ଡ, ଏସ୍‌ଏସ୍‌ଆଇ ସ୍ପ୍ରିଣ୍ଟ ଚାମ୍ପିୟନ ଆୱାର୍ଡ(ପୁରୁଷ ଓ ମହିଳା), ଏସ୍‌ଏସ୍‌ଆଇ ବେଷ୍ଟ ସ୍ପୋର୍ଟସ ପର୍ସନ ଆୱାର୍ଡ, ଏସ୍‌ଏସ୍‌ଆଇ ସ୍ପୋଟର୍ସ ଡେଭେଲପ୍‌ମେଣ୍ଟ ଆୱାର୍ଡ, ଏସ୍‌ଏସ୍‌ଆଇ ସ୍ପୋର୍ଟ ଜର୍ନାଲିଜମ୍‌ ଆୱାର୍ଡ ଆଦି ପ୍ରଦାନ କରାଯିବ। ଏପରିକି ସେମାନଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଏସ୍‌ଏସ୍‌ଆଇର ପ୍ରତିଷ୍ଠାତା ଡ. ପଟ୍ଟନାୟକ କହିଥିଲେ।

Share