୧,୬୫,୭୦୦ ମାମଲା ଫଇସଲା

କଟକ ଅଫିସ, ୧୨।୨: ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (ଓଏସ୍‌ଏଲ୍‌ଏସ୍‌ଏ) ପକ୍ଷରୁ ରାଜ୍ୟର ପ୍ରତି ଜିଲା ଏବଂ ତାଲୁକସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ତଥା ଓଏସ୍‌ଏଲ୍‌ଏସ୍‌ଏ ମୁଖ୍ୟ ପୃଷ୍ଠପୋଷକ ଏସ୍‌. ମୁରଲୀଧର ଓ ଓଏସ୍‌ଏଲ୍‌ଏସ୍‌ଏ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ବିଚାରପତି ଯଶୱନ୍ତ ସିଂଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରହଣ କରାଯାଇଥିବା ମୋଟ ୩ ଲକ୍ଷ ୧୭ହଜାର ୬୩୪ଟି ମାମଲା ମଧ୍ୟରୁ ୧ ଲକ୍ଷ ୪ହଜାର ୨୬୧ ପ୍ରାକ୍‌ ମକଦ୍ଦମା ଓ ୨ ଲକ୍ଷ ୧୩ ହଜାର ୩୭୩ ବିଚାରାଧୀନ ରହିଥିଲା। ସେଥିମଧ୍ୟରୁ ୧ ଲକ୍ଷ ୬୫ ହଜାର ୭୦୦ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୧୭୪ କୋଟି ୭୬ ଲକ୍ଷ ୬୦ହଜାର ୯୭୨ ଟଙ୍କା ଆଦାୟ ପାଇଁ ସ୍ଥିର କରାଯାଇଥିଲା। ଉକ୍ତ ମାମଲାଗୁଡ଼ିକ ମଧ୍ୟରେ ଫୌଜଦାରି ସାଲିସଯୋଗ୍ୟ ମାମଲା ୩୨୪, ଚେକ୍‌ ବାଉନ୍ସ ୧୨୭୭, ବ୍ୟାଙ୍କ ଋଣ ୭୦୯, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ୧୦୧୦, ବୈବାହିକ ବିବାଦ ୫୯୫, ଭୂମି ଅଧିଗ୍ରହଣ ୨୭, ବିଦ୍ୟୁତ୍‌ ଓ ଜଳକର ପଇଠ ସମ୍ବନ୍ଧୀୟ ୯, ଶ୍ରମ ବିବାଦ ୧୦୪, ଚାକିରି ସମ୍ବନ୍ଧୀୟ ୮, ରାଜସ୍ବ ମକଦ୍ଦମା ୧ ଲକ୍ଷ ୪୮ହଜାର ୨୧୨, ଅନ୍ୟାନ୍ୟ ଦେୱାନୀ ୧୬୩୨, ଅନ୍ୟାନ୍ୟ ଫୌଜଦାରି ୭୫୦୭ ଓ ଉପଭୋକ୍ତା ମାମଲା ୧୫୦ଟି ରହିଛି। ସୂଚନାଯୋଗ୍ୟ, ଜାତୀୟ ଆଇନ ସେବା ପ୍ରାଧିକରଣ (ଏନ୍‌ଏଲ୍‌ଏସ୍‌ଏ)ର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତବର୍ଷ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିବାଦ କିମ୍ବା ମକଦ୍ଦମାର ସହଜ ଏବଂ ଆପୋଷ ସହମତିରେ ସମାଧାନ କରାଯାଇଥିଲା। ବିଚାରାଧୀନ ମକଦ୍ଦମା ସହ ପ୍ରାକ୍‌ ମକଦ୍ଦମାସ୍ତରୀୟ ମାମଲା ମଧ୍ୟ ସମାଧାନ ହୋଇଥିଲା।