ଅନୁଗୋଳ ଜିଲାରେ ୧୬୫ ବୁଥ୍‌ ସମ୍ବେଦନଶୀଳ

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମହମ୍ମଦ ଅବଦଲ ଅଖତାର ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ଖବରଦାତା ସମ୍ମିଳନୀରେ ଜିଲାପାଳ କହିଛନ୍ତି, ଅନୁଗୋଳ ଜିଲାର ସମସ୍ତ ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟରେ ମେ ୨୫ରେ ଭୋଟ୍‌ ଗ୍ରହଣ କରାଯିବ। ଏଥିପାଇଁ ଗେଜେଟ୍‌ ବିଜ୍ଞପ୍ତି ୨୯ ଏପ୍ରିଲ ୨୦୨୪ରେ ପ୍ରକାଶ ପାଇବାକୁ ଥିବାବେଳେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ମେ ୬ ତାରିଖ ରଖାଯାଇଛି। ସେହିପରି ମେ ୯ ସୁଦ୍ଧା ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବାବେଳେ ୨୫ ତାରିଖରେ ମତଦାନ ଏବଂ ଜୁନ୍‌ ୪ ତାରିଖରେ ଭୋଟ ଗଣତି ହେବ। ଏହି ଅବସରରେ ଜିଲାପାଳ ଜିଲାସ୍ତରରେ ଖର୍ଚ୍ଚର ମନିଟରିଂ ପାଇଁ ବ୍ୟବସ୍ଥା, ଜିଲାସ୍ତରୀୟ ମିଡିଆ ସାର୍ଟିଫିକେଟ ଏବଂ ମନିଟରିଂ କମିଟି, ନିର୍ବାଚନ ପରିଚାଳନାରେ ସି ଭିଜିଲ ଆପ୍‌, ସୁବିଧା ପୋର୍ଟାଲ, ଭୋଟର ହେଲପ୍‌ ଲାଇନ୍‌ ଆଦି ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଏଥିସହ ଜିଲାରେ ଥିବା ୧,୧୬୨ ମତଦାନ କେନ୍ଦ୍ର ମଧ୍ୟରୁ ୧୬୫ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି। ଉକ୍ତ କେନ୍ଦ୍ରଗୁଡ଼ିକରେ ୱେବ୍‌ କାଷ୍ଟିଂ ସହ କେନ୍ଦ୍ରୀୟ ବାହିନୀ, ମାଇକ୍ରୋ ଅବଜରଭର ଏବଂ ବୁଥ୍‌କୁ କିଏ ଯାଆ ଆସ କରୁଛନ୍ତି, ତାହାର ଭିଡିଓଗ୍ରାଫି କରାଯିବ। ସେହିଭଳି ସହରାଞ୍ଚଳର ଓ ବ୍ଲକ ମୁଖ୍ୟାଳୟରେ ୬୦ଟି ସଖୀ ବୁଥ୍‌ ମଧ୍ୟ କରାଯିବ। ୨୫ଟି ବୁଥ୍‌କୁ ଯୁବ ବୁଥ୍‌ କରାଯିବ। ଉକ୍ତ ବୁଥ୍‌ର ପରିଚାଳନା ଦାୟିତ୍ୱରେ ୩୦ ବର୍ଷରୁ କମ୍‌ କର୍ମଚାରୀମାନେ ରହିବେ। ଏଥିସହ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ସମୟରେ ପୋଷ୍ଟାଲ ବାଲଟ୍‌ରେ ମତଦାନ କରିବେ। ଆସନ୍ତା ନିର୍ବାଚନରେ ବାଲଟ୍‌ ଭୋଟ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜିଲାପାଳ ଦୃଢ଼ୋକ୍ତି କରିଛନ୍ତି। ଏ ନେଇ ଭୋଟ ଗଣତି କେନ୍ଦ୍ରରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ଭୋଟ ଗଣତି ଟେବୁଲ୍‌ ସଂଖ୍ୟା ମଧ୍ୟ ପୂର୍ବ ନିର୍ବାଚନ ଅପେକ୍ଷା ଚଳିତଥର ବୃଦ୍ଧି କରାଯାଇଛି। ଫଳରେ ସନ୍ଧ୍ୟା ପୂର୍ବରୁ ଭୋଟ ଗଣତି ଶେଷ ହେବ। ରାଜନୈତିକ ଦଳଗୁଡ଼ିକ ବ୍ୟକ୍ତିଗତ, ଜାତି ଓ ଧର୍ମକୁ ନେଇ ଭାଷଣ ଦେଇପାରିବେ ନାହିଁ ବୋଲି ଜିଲାପାଳ ଅଖତାର୍‌ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ଡ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲାପାଳ(ସାଧାରଣ) ପ୍ରତାପ ପ୍ରୀତିମୟ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ସିଂହ, ଅନୁଗୋଳ ଉପଜିଲାପାଳ ବରଣ୍ୟେନ୍ଦୁ ମହାନ୍ତି, ଜିଲା ସୂଚନା ବିଜ୍ଞାନ କେନ୍ଦ୍ର ଅଧ୍ୟକ୍ଷ ସୁବ୍ରତ କୁମାର ଚାଟର୍ଜୀ, ଡେପୁଟି କେଲେକ୍ଟର(ନିର୍ବାଚନ) ମମତା ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।