ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି): ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ (ପୁରୁଷ) ଟୁର୍ନାମେଣ୍ଟ ମଙ୍ଗଳବାର କିଟ୍ ପରିସରରେ ଉଦ୍ଘାଟିତ ହୋଇଯାଇଛି। କିଟ୍ କ୍ରିକେଟ ଷ୍ଟାଡିୟମରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଜ୍ଞାନ ରଞ୍ଜନ ମହାନ୍ତି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। କିଟ୍ ଓ କିସ୍ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ରଶ୍ମିତା ମହାନ୍ତି ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ଅଞ୍ଜନ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ମାର୍ଚ୍ଚ ୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ମୋଟ ୬୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ମ୍ୟାଚଗୁଡ଼ିକ କିଟ୍ ସମେତ ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେଉଛି। ଏହି ଟୁର୍ନାମେଣ୍ଟରୁ ବିସିସିଆଇ ଭିଜି ଟ୍ରଫି ପାଇଁ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ଦଳ ଚୟନ ହେବ। ପ୍ରଥମ ଦିବସରେ କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ୨ଟି ମ୍ୟାଚରେ ଦାର୍ଜିଲିଂର ୟୁନିଭର୍ସିଟି ଅଫ୍ ନର୍ଥ ବେଙ୍ଗଲ ୩ ଉଇକେଟରେ ଟିଏମ୍. ଭାଗଲପୁର ବିଶ୍ୱବିଦ୍ୟାଳୟକୁ ଏବଂ ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ ୩ ଉଇକେଟରେ ଓ୍ବେଷ୍ଟବେଙ୍ଗଲ ଷ୍ଟେଟ୍ ୟୁନିଭର୍ସିଟିକୁ ପରାସ୍ତ କରିଛି। ସେହିପରି ରେଭେନ୍ସା ଗ୍ରାଉଣ୍ଡ-୧ରେ ଅନୁଷ୍ଠିତ ୨ଟି ମ୍ୟାଚରେ ବୋଧଗୟାର ମଗଧ ବିଶ୍ୱବିଦ୍ୟାଳୟ ୧୩୨ ରନରେ ୟୁନିଭର୍ସିଟି ଅଫ୍ କୋଲକାତାକୁ ଏବଂ ଯାଦବପୁର ବିଶ୍ୱବିଦ୍ୟାଳୟ ୯ ଉଇକେଟରେ ଜଗଦଲପୁରର ଶହୀଦ ମହେନ୍ଦ୍ର କର୍ମା ବିଶ୍ୱବିଦ୍ୟାଳୟକୁ ହରାଇ ଦେଇଛି। ରେଭେନ୍ସା ଗ୍ରାଉଣ୍ଡ-୨ରେ ଚାଇଁବସାର କୋହ୍ନଣ ବିଶ୍ୱବିଦ୍ୟାଳୟ ୧୦ ଉଇକେଟରେ କଟକର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଏବଂ ରାୟପୁରର ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟ ୮୩ ରନରେ ସନ୍ତ ଗହିରା ଗୁରୁ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି।


