୧୬ ପଞ୍ଚାୟତ ପାଣିଘେରରେ, ରିଲିଫ୍‌ ପାଇଁ ଘୋଷଣା

ଚାନ୍ଦବାଲି,୩ା୯(ଡି.ଏନ୍‌.ଏ.): ଚଳିତ ବନ୍ୟାରେ ପାଣିଘେରରେ ରହିଥିବା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ୧୬ଟି ପଞ୍ଚାୟତ ଓ ଚାନ୍ଦବାଲି ଏନ୍‌ଏସିର ଗୋଟିଏ ଓ୍ବାର୍ଡର ଲୋକଙ୍କ ପାଇଁ ରିଲିଫ୍‌ ଘୋଷଣା ହୋଇଛି। ଜିଲା ପ୍ରଶାସନର ନିର୍ଦ୍ଦେଶରେ ବିଡିଓ ଚାନ୍ଦବାଲି ଏନେଇ ବିଭିନ୍ନ ବିଭାଗ, ପଞ୍ଚାୟତ ଓ ଏହି କାମରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଅବଗତ କରିଛନ୍ତି।
୨୦୧୧ ଜନଗଣନା ଅନୁସାରେ, ଶତକଡ଼ା ୧୦ ପରିବାର ସଂଖ୍ୟା ବୃଦ୍ଧି କରାଯାଇ ପରିବାର ପ୍ରତି ୫୦ କିଲୋ ଚାଉଳ ଓ ୫ ଶହ ଟଙ୍କା ପ୍ରଦାନ କରାଯିବ। ଏନେଇ ଆବଶ୍ୟକୀୟ ୯ ହଜାର ୩ ଶହ ୫୦ କ୍ୱିଣ୍ଟାଲ ଚାଉଳ ବିଭିନ୍ନ ପଞ୍ଚାୟତ ଗୋଦାମକୁ ପରିବହନ କରାଯିବା ସହିତ ଦାୟିତ୍ୱରେ ଥିବା କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟରୁ ବଣ୍ଟନ ହେବାକୁ ଥିବା ୮୫ଲକ୍ଷ ଟଙ୍କାର ନଗଦ ଅର୍ଥ ଗ୍ରହଣ କରିବେ। ବ୍ଲକର ଆରଡି, ନାନ୍ଦପୁର, ନାଲଗୁଣ୍ଡା, ଖେରଙ୍ଗ, ସୁନ୍ଦରପୁର, ଓଳଗ, ତେନ୍ତୁଲିଡିହି, ଭୂଇଁବୃତି, ମାଧପୁର, ଘଟପୁର, ବଡ଼ଓସ୍ତିଆ, ମତୋ, ମୌସୁଧା, ଜଳେଶ୍ୱରପୁର, ଯଶୀପୁର, ଭାଟପଡ଼ା ପଞ୍ଚାୟତର ୭୩ଟି ଗାଁ ଓ ଚାନ୍ଦବାଲି ଏନ୍‌ଏସିର ଗୋଟିଏ ଓ୍ବାର୍ଡକୁ ମିଶାଇ ମୋଟ୍‌ ୭୪ଟି ଗାଁର ୧୭ହଜାର ପରିବାର ଏଥିରୁ ଉପକୃତ ହେବେ। ପ୍ରତି ପଞ୍ଚାୟତ ପାଇଁ ବଣ୍ଟନ ଅଧିକାରୀ ନିଯୁକ୍ତି ହୋଇଥିବା ବେଳେ ସଂପୃକ୍ତ ପଞ୍ଚାୟତର ପିଇଓମାନେ ତାଙ୍କୁ ସହଯୋଗ କରିବେ। ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ରିଲିଫ୍‌ ବଣ୍ଟନ କରାଯିବା ସହିତ ସ୍ଥାନୀୟ ରିଟେଲରମାନେ ଏହି କାମରେ ସହଯୋଗ କରିବେ। ତଦାରଖ ପାଇଁ ୩ ଜଣ ସୁପରଭାଇଜର ନିଯୁକ୍ତି ହୋଇଛନ୍ତି। ରିଲିଫ୍‌ ବଣ୍ଟନ ସମୟରେ ପ୍ରତି ପଞ୍ଚାୟତରେ ଦୁଇଜଣ ଲେଖାଏ ଶିକ୍ଷକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।