ଚୋରାରେ ବିକୁଥିଲେ ଗ୍ୟାସ, ଧରା ପକାଇ ଦେଲେ ପଡ଼ୋଶୀ

ପାଟଣା,୭ା୧୨(ସ୍ବ ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ସଅଁରାପଶି ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ଘରେ ଯୋଗାଣ ବିଭାଗର ୫ଜଣିଆ ଟିମ୍‌ ଚଢ଼ାଉ କରି ମଙ୍ଗଳବାର ୧୬ଟି ଖାଲି ସିଲିଣ୍ଡର ଜବତ କରିଛି। ରବୀନ୍ଦ୍ର ପଡ଼ୋଶୀ ମୟୂରଭଞ୍ଜ ଜିଲା କରଞ୍ଜିଆର ଜଣେ ବିତରକଙ୍କଠାରୁ ଗ୍ୟାସ ଓ ସିଲିଣ୍ଡର ଆଣି ଘରେ ରଖି ପାଟଣା ଅଞ୍ଚଳରେ ଚୋରାରେ ବିକ୍ରି କରୁଥିଲେ।

ଏନେଇ ପାଟଣା ସୁନାମୁଖୀ ଅଞ୍ଚଳର ଜଣେ ଗ୍ୟାସ ବିତରକ ଜିଲାପାଳ, ଏସ୍‌ପି ଓ ଜିଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମନ ମୋହନ ପଟ୍ଟନାୟକ ଓ ବୀରକିଶୋର ମାରାଣ୍ଡିଙ୍କ ନେତୃତ୍ୱରେ ପାଟଣା ବ୍ଲକ ଯୋଗାଣ ଅଧିକାରୀ ବିଦ୍ୟୁତ୍‌ଲତା ନାୟକ, ସଦର ବ୍ଲକ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ପ୍ରମୁଖ ରବୀନ୍ଦ୍ରଙ୍କ ଘରେ ଚଢ଼ାଉ କରି ଗ୍ୟାସ ସିଲିଣ୍ଡର ଜବତ କରିଥିଲେ। ଖାଲି ଗ୍ୟାସ ସିଲିଣ୍ଡରଗୁଡ଼ିକୁ ଯୋଗାଣ ବିଭାଗ ସୁନାମୁଖୀ ଗ୍ୟାସ ବିତରକଙ୍କୁ ଜିମା ଦେଇଛି। ଏନେଇ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ମାରାଣ୍ଡିଙ୍କୁ ପଚାରିବାରୁ ଯୋଗାଣ ବିଭାଗ ପକ୍ଷରୁ ଜିଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ରବୀନ୍ଦ୍ରଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି।