ଜୁମାଡଙ୍ଗକୁ ଫେରିଲେ ୧୬ ପରିବାର

ମାଲକାନଗିରି, ୧୫ା୧୧(ଡି.ଏନ.ଏ.): ଓଡିଶା ସୀମାନ୍ତ ଅଞ୍ଚଳରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଭତ୍ତା, ଆଧାର କାର୍ଡ, ଭୋଟର କାର୍ଡ ପ୍ରଦାନ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଥିବା ସ୍ବାଭିମାନ ଅଞ୍ଚଳର ଧୁଳିପୂଟ ପଞ୍ଚାୟତ ଅଧୀନ ଜୁମାଡଙ୍ଗ ଗ୍ରାମ ଆନ୍ଧ୍ର ବିଭିନ୍ନ ଯୋଜନା କରି ଲୋକଙ୍କୁ ନିଜ ସପକ୍ଷରେ ନେବା ଲାଗି ଉଦ୍ୟମ କରୁଥିଲା। ଏହି ଖବର ପାଇ ଜିଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ରାସ୍ତା ନିର୍ମାଣ, ଅଙ୍ଗନଓ୍ବାଡି କେନ୍ଦ୍ର, ବିଦ୍ୟୁତ ସେବା, ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା କରିଛି। ଫଳରେ ଆନ୍ଧ୍ରମୁହାଁ ହୋଇଥିବା ୧୬ ପରିବାର ନିଜ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଦେଖି ଗ୍ରାମକୁ ଫେରିଛନ୍ତି। ଏହି ଗ୍ରାମରେ ମୋଟ ୨୭ଟି ପରିବାର ବସବାସ କରନ୍ତି। କିଛିଦିନ ତଳେ ମାଲକାନଗିରି ଜିଲାର ବହୁ ଅଧିକାରୀ ଏହି ଗ୍ରାମକୁ ଗସ୍ତ କରି ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଅଞ୍ଚଳରେ କିପରି ଆହୁରି ଅଧିକ ସୁବିଧା ପହଞ୍ଚାଇ ହେବ ସେନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କେବଳ ଏହି ଗୋଟିଏ ଗ୍ରାମ ନୁହେଁ, ଚିତ୍ରକୋଣ୍ଡା ବ୍ଲକରେ ୭୦ରୁ ଊର୍ଦ୍ଧ୍ୱ ଗ୍ରାମ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାରୁ ଏଠାରେ ଆନ୍ଧ୍ର ପକ୍ଷରୁ ଲୋକଙ୍କୁ ପ୍ରଲୋଭିତ କରିବାକୁ ସର୍ବଦା ଉଦ୍ୟମ ଜାରି ରହିଛି।