ତିନି ମହଲା କୋଠାରୁ ଖସି ୧୪ ବର୍ଷୀୟା ଝିଅ ଗୁରୁତର: ଅଗ୍ନିଶମବାହିନୀ କଲା ଉଦ୍ଧାର

କୋରାପୁଟ, ୬।୭ (ଅମିତାଭ ବେହେରା): କୋରାପୁଟ ସହରର ପୂଜାରୀପୁଟ ଷ୍ଟାଡିୟମ ନିକଟରେ ଥିବା ଏକ ତିନି ମହଲା କୋଠାରେ ରବିବାର ବିଳମ୍ବିତ ରାତ୍ରରେ ଏକ ଅଘଟଣ ଘଟିଛି। ଛାତ ଉପରେ ବୁଲୁଥିବାବେଳେ ଅସାବଧାନତାବଶତଃ ଜଣେ ୧୪ ବର୍ଷୀୟା ଝିଅ ତଳକୁ ଖସିପଡ଼ି ଦ୍ୱିତୀୟ ମହଲାର ଏକ ସ୍ଥାନରେ ଅଟକି ଯାଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଝିଅଟିଙ୍କୁ ଉଦ୍ଧାର ପାଇଁ ପ୍ରଥମେ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ଉଦ୍ୟମ କରିଥିଲେ। ହେଲେ ସଫଳ ନ ହେବାରୁ କୋରାପୁଟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବରପାଇ ୧୦ ଜଣିଆ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସତର୍କତାର ସହ ଝିଅଟିଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ସହରସ୍ଥ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଝିଅଟିଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।