ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସଦର ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ ଅଭିଯୁକ୍ତ ନାବାଳକଙ୍କୁ କାବୁ କରି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିବା ସହ ପର୍ଯ୍ୟବେକ୍ଷଣ ଗୃହକୁ ପଠାଇଦେଇଛି। ପୋଲିସର ସୂଚନା ଅନୁସାରେ, ସମ୍ପୃକ୍ତା ନାବାଳିକା ବଡ଼ ଭଉଣୀଙ୍କ ସହ ଘର ପାଖକୁ ଶୌଚ ପାଇଁ ଯାଇଥିଲେ। କିଛି ସମୟ ପରେ ବଡ଼ ଭଉଣୀ ଘରକୁ ଫେରିଯାଇଥିବାବେଳେ ପୀଡ଼ିତା ଆମ୍ବ ଗୋଟାଇବାକୁ କହି ସେଠାରେ ରହିଯାଇଥିଲେ। ନାବାଳିକା ଏକାଥିବା ଦେଖି ଅଭିଯୁକ୍ତ ନାବାଳକ ଜଣକ ତାଙ୍କୁ ସେଠାରୁ ଉଠାଇନେଇ ବଳାତ୍କାର କରିବା ସହ ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। ତେବେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ଘଟଣା ବିଷୟରେ ଜାଣି ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଥିସହ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଭିଯୋଗ ପାଇବା ପରେ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ନାବାଳକଙ୍କୁ କାବୁ କରିଥିଲା। ପରେ ତାଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ଅନୁଗୋଳସ୍ଥିତ ପର୍ଯ୍ୟବେକ୍ଷଣ ଗୃହକୁ ପଠାଯାଇଥିବା ଜଣାପଡ଼ିଛି।

