ସାମ୍ବାଦିକତା ପାଇଁ ବିପଦଜନକ ଦେଶ ତାଲିକାରେ ଭାରତ

ନୂଆଦିଲ୍ଲୀ, ୧୨।୧୨- ସାମ୍ବାଦିକତା ପାଇଁ ଭାରତ ଏକ ବିପଦଜନକ ରାଷ୍ଟ୍ର ବୋଲି ଅଭିହିତ କରିଛି ଅନ୍ତର୍ଜାତୀୟ ସାମ୍ବାଦିକ ଫେଡେରେଶନ (ଆଇସିଜେ)। ଆଇସିଜେ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ‘ହ୍ବାଇଟ୍‌ ପେପର ଅନ୍‌ ଗ୍ଲୋବାଲ ଜର୍ନାଲିଜିମ’ରେ ଭାରତ ଓ ପାକିସ୍ତାନ ସମେତ ୫ ଦେଶକୁ ସାମ୍ବାଦିକତା ପାଇଁ ବିଶ୍ୱର ସବୁଠୁ ବିପଦଜନକ ରାଷ୍ଟ୍ର ତାଲିକା ଭୁକ୍ତ କରାଯାଇଛି।

ଭାରତ ବ୍ୟତୀତ ଟପ୍‌-୫ରେ ସ୍ଥାନ ପାଇଛନ୍ତି ପାକିସ୍ତାନ, ଇରାକ, ମେକ୍ସିକୋ ଓ ଫିଲିପାଇନ୍ସ। ତେବେ ତାଲିକାର ପଞ୍ଚମ ସ୍ଥାନରେ ରହିଛି ଆମ ଦେଶ। ଜର୍ନାଲିଷ୍ଟମାନଙ୍କ ପାଇଁ ସବୁଠୁ ବିପଦଜନକ ଦେଶ ହେଉଛି ଇରାକ। ଏହି ଦେଶରେ ୧୯୯୦ରୁ ଏବେ ଯାଇଁ ସର୍ବାଧିକ ୩୪୦ କାର୍ଯ୍ୟରତ ଜର୍ନାଲିଷ୍ଟଙ୍କ ହତ୍ୟା କରାଯାଇଛି। ତାଲିକାରେ ପଛକୁ ପଛ ରହିଛନ୍ତି ମେକ୍ସିକୋ (୧୭୮ ଜର୍ନାଲିଷ୍ଟ), ଫିଲିପାଇନ୍ସ (୧୭୮), ପାକିସ୍ତାନ (୧୩୮) ଓ ଭାରତ (୧୧୬) । ଗତ ତିନି ଦଶନ୍ଧିରେ ପୂରା ବିଶ୍ୱରେ ୨,୬୫୮ ଜଣ କାର୍ଯ୍ୟରତ ସାମ୍ବାଦିକ ପ୍ରାଣ ହରାଇଛନ୍ତି।

ଚଳିତ ବର୍ଷ ୧୫ ଦେଶରେ ୪୨ ଜର୍ନାଲିଷ୍ଟ ଓ ମିଡିଆ ଷ୍ଟାଫଙ୍କୁ ଟାର୍ଗେଟ କରି ବମ୍‌ ବ୍ଲାଷ୍ଟ ଓ କ୍ରସ ଫାୟାରରେ ହତ୍ୟା କରାଯାଇଛି। ଗତ ୫ ବର୍ଷରେ ୪ର୍ଥ ଥର ପାଇଁ ମେକ୍ସିକୋ(୧୩)ରେ ପ୍ରାଣ ହରାଇଥିବା ଜର୍ନାଲିଷ୍ଟଙ୍କ ସଂଖ୍ୟା ଅନ୍ୟ ଦେଶମାନଙ୍କ ଅପେକ୍ଷା ସର୍ବାଧିକ। ପାକିସ୍ତାନ (୫) ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାରତ, ଆଫଗାନିସ୍ତାନ, ଇରାକ ଓ ନାଇଜେରିଆ (୩) ତୃତୀୟ ସ୍ଥାନରେ ରହିଛନ୍ତି।

Share