ବିଶ୍ୱ ଏଡ୍‌ସ ଦିବସ: ସଚେତନତା ସୃଷ୍ଟି ପାଇଁ ଦସ୍ତଖତ ଅଭିଯାନ

କେନ୍ଦୁଝର,୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟରେ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାମୁଖ୍ୟ ଡାକ୍ତରଖାନା ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗ ଓ ଆଇନ ସେବା ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ଏଡ୍‌ସ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ଜିଲାର ବିଭିନ୍ନ କୋର୍ଟର ବିଚାରପତି ଓ ଜିଲା ଆଇନ ସେବା ପ୍ରାଧିକରଣର ଅଧିକାରୀମାନେ ସାମିଲ ଥିଲେ। ଜିଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ତିରଞ୍ଜନ ପାତ୍ର, ସଚିବ ଜିଲା ଆଇନ ସେବା ପ୍ରାଧିକରଣ, ବନାଲି ତ୍ରିପାଠୀ, ରେଜିଷ୍ଟ୍ରାର ସିଭିଲ କୋର୍ଟ, ଚିନ୍ମୟୀ ରଥ, ଦେବାନୀ ବିଚାରପତି ସ୍ବର୍ଣ୍ଣଲତା ନାୟକ, ପ୍ରଥମ ଶ୍ରେଣୀ କନିଷ୍ଠ ବିଚାରପତି ବିରଜା ପ୍ରସାଦ ପଣ୍ଡା, ସିଡିଏମ- ପିଏଚଓ ଡକ୍ଟର ଦେବେନ ଦାସ, ଏଡିପିଏଚ୍‌ଓ (ଟିବି) ଡକ୍ଟର ଜଗଦୀଶ ପ୍ରସାଦ ସାହୁ ପ୍ରମୁଖ ସାମିଲ ଥିଲେ।