Categories: ଖେଳ

୧୨୧ରେ ଅଟକିଲା ପାକିସ୍ତାନ

ଦୁବାଇ,୯।୯: ଏସିଆ କପ୍‌ ସୁପର-୪ର ଶୁକ୍ରବାର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ସନକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପାକିସ୍ତାନ ୧୯.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୨୧ ରନ୍‌ରେ ଅଟକି ଯାଇଥିଲା। ଫଳରେ ପାକିସ୍ତାନ ଶ୍ରୀଲଙ୍କା ଆଗରେ ୧୨୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି।

ପାକିସ୍ତାନ ଷ୍ଟାର୍‌ ଓପ୍‌ନର ମହମ୍ମଦ ରିଜ୍‌ଓ୍ବାନ ଏବଂ ଅଧିନାୟକ ବାବର ଆଜମ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା। ରିଜ୍‌ଓ୍ବାନ ୧୪ ରନ୍‌ କରି ଆଉଟ ହୋଇଥିବା ବେଳେ ଅଧିନାୟକ ବାବର ୩୦ ରନ୍‌ କରିଥିଲେ। ଫକର ଜମାନ ଓ ଇଫ୍‌ତିକାର ଅହମଦ ଉଭୟେ ୧୩ ରନ୍‌ ଲେଖାଏଁ କରିଥିଲେ। ଏଭଳି ସ୍ଥିତିରେ ମହମ୍ମଦ ନଓ୍ବାଜ୍‌ଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ବିଫଳ ହୋଇଥିଲେ। ନଓ୍ବାଜ୍‌ ୨୬ ରନ୍‌ କରିଥିଲେ। ଫଳରେ ଦଳ ୧୨୧ ରନ୍‌ କରିବାରେ ସଫଳ ହୋଇଥିଲା।

ଶ୍ରୀଲଙ୍କା ପକ୍ଷରୁ ଓ୍ବାନିଣ୍ଡୁ ହସରଙ୍ଗା ୩ଟି ଉଇକେଟ ନେଇଥିବା ବେଳେ ମହିଶ ତିକସନା ଓ ପ୍ରମୋଦ ମଧୁଶଙ୍କା ୨ଟି ଲେଖାଏ ଉଇକେଟ ନେଇଥିଲେ। ଧନଞ୍ଜୟ ଡି ସିଲ୍‌ଭା ଓ ଚମିକା କରୁଣାରତ୍ନେ ଗୋଟିଏ ଲେଖାଏ ଉଇକେଟ ନେବାରେ ସଫଳ ହୋଇଥିଲେ।

 

Share