୧୨୧୪୦ ଚାଷ ଜମି , ୪୬୮୫ ହେକ୍ଟର ଫସଲ ନଷ୍ଟ

ବାଙ୍କୀ,୧୯ା୮(ସ୍ବ.ପ୍ର.): ମହାନଦୀରେ ବନ୍ୟାଜଳ କମିବା ପରେ କଟକ ଜିଲା ବାଙ୍କୀ ଉପଖଣ୍ଡର ବାଙ୍କୀ ଓ ଡମପଡ଼ା ବ୍ଲକରେ ବିପନ୍ନମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବନ୍ୟା ପାଣି ଘେରରେ ରହିଥିବା ବାଙ୍କୀର ୩୯ ଗଁାର ୧ଲକ୍ଷ ୨ ହଜାର ୪୯୩ ଜଣ ଗୁରୁବାର ମଧ୍ୟ ଜଳବନ୍ଦୀ ଜୀବନ ବିତାଉଛନ୍ତି। ବହୁ ସ୍ଥାନରେ ପାଣି ଯୋଗୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଫଳରେ ଲୋକଙ୍କ ସମସ୍ୟା ଦୁଇ ଗୁଣିତ ହୋଇଛି। ବାଙ୍କୀ ଓ ଡମପଡ଼ା ଅଞ୍ଚଳର ଚାଷୀମାନେ ପନିପରିବା ଓ ଧାନଚାଷକୁ ଜୀବିକା ଭାବେ ଗ୍ରହଣ କରିଥାନ୍ତି। ହେଲେ ବନ୍ୟା ପାଣିରେ ଡମପଡ଼ା ବ୍ଲକରେ ୬,୩୪୦ ହେକ୍ଟର ଧାନ ଜମି, ୨୪୮୫ ହେକ୍ଟର ପନି ପରିବା ଫସଲ ପାଣିରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବାଙ୍କୀ ବ୍ଲକରେ ୫,୮୦୦ ହେକ୍ଟର ଧାନ ଜମି ଓ ୨୨୦୦ ହେକ୍ଟର ପନିପରିବା ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବର୍ଷକର ଆହାର ନଷ୍ଟ ହୋଇ ଯାଇଥିବାରୁ ଚାଷୀମାନେ ପରିବାରକୁ କେମିତି ପ୍ରତିପୋଷଣ କରିବେ। ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି। ତୁରନ୍ତ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ସେମାନଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ହେଉଛି। ଏଥିସହ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଛାଡ ପାଇଁ ଦାବି କରୁଛନ୍ତି। ବାଙ୍କୀ-କଳାପଥର ରାସ୍ତାରେ ଚନ୍ଦ୍ରପା ସେତୁଠାରେ ଆଉ ଏକ ନୂଆ ଉଚ୍ଚା ସେତୁ ନିର୍ମାଣ କରିବା, ହୁଳୁହୁଳ ସେତୁକୁ ଉଚ୍ଚା କରିବା ଏବଂ କଇମୁଣ୍ଡିଠାରେ ଏକ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଅଧିବାସୀ ଗୁରୁବାର କଟକ ଏମ୍‌ପି ଭର୍ତ୍ତୃହରି ମହତାବ ଓ ଜିଲାପାଳ ଭବାନୀ ଶଙ୍କର ଚଇନି ବନ୍ୟା ଅଞ୍ଚଳ ଗସ୍ତ ସମୟରେ ତାଙ୍କ ପାଖରେ ଦାବି ରଖିଛନ୍ତି। ଗୁରୁବାର ରାତି ସାଢେ ୧୧ଟା ସୁଦ୍ଧା ମହାନଦୀରେ ବାଙ୍କୀଠାରେ ୭.୯୭ ସେମି ବିପଦସଙ୍କେତ ତଳେ ୧୦ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି।