Categories: ବାଣିଜ୍ୟ

ପିଏନ୍‌ବିରେ ୧୨୦୩ କୋଟିର ଋଣ ଠକେଇ

 

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ୧୨୦୩ କୋଟି ଟଙ୍କାର ଠକେଇ ମାମଲା ସାମ୍ନାକୁ ଆସିଛି। ସିନ୍‌ଟେକ୍ସ ଇଣ୍ଡଷ୍ଟ୍ରିଜ ଏଭଳି ବେଆଇନ କାର୍ଯ୍ୟରେ ସାମିଲ ରହିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପ୍ରାୟ ୬ ହଜାର କୋଟି ଟଙ୍କା କ୍ଷତି ସହିବେ ବୋଲି ଅନ୍ୟ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଅହମ୍ମଦାବାଦସ୍ଥିତ ପିଏନ୍‌ବିର ଜୋନାଲ ଅଫିସ କର୍ପୋରେଟ ଶାଖାରେ ଏଭଳି ଠକେଇ ସାମ୍ନାକୁ ଆସିଛି। ଅନ୍ୟ ଏକ ରିପୋର୍ଟ ମୁତାବକ, ପିଏନ୍‌ବି ବାଦ୍‌ ବ୍ୟାଙ୍କ ଅଫ୍‌ ବରୋଦା ସିନ୍‌ଟେକ୍ସକୁ ୬୪୯ କୋଟିର ଋଣ ପ୍ରଦାନ କରିଛି। ସେହିଭଳି ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କ ୯୪୯ କୋଟି, ୟୁନିୟନ ବ୍ୟାଙ୍କ ୩୭୧ କୋଟି, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୬୧୪ କୋଟି, କାନାରା ବ୍ୟାଙ୍କ ୪୭୨ କୋଟି, ଏକ୍ସିମ ବ୍ୟାଙ୍କ ୪୧୬ କୋଟି, ପଞ୍ଜାବ ଏବଂ ସିନ୍ଧ୍‌ ବ୍ୟାଙ୍କ ୩୩୩ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ୩୧୫ କୋଟି,ଓରିଏଣ୍ଟ ବ୍ୟାଙ୍କ ୩୦୦ କୋଟି, ଆନ୍ଧ୍ର ବ୍ୟାଙ୍କ ୨୫୦ କୋଟି ଏବଂ ଏସ୍‌ବିଆଇ ୧୫୦ କୋଟି ଋଣ ଏହି କମ୍ପାନୀ ନେଇଛି। ଏହାବାଦ ଘରୋଇ କ୍ଷେତ୍ରର ସାଉଥ ଇଣ୍ଡିଆନ ବ୍ୟାଙ୍କ ୨୫୦ କୋଟି ଏବଂ କର୍ନାଟକ ଅଫ୍‌ ବ୍ୟାଙ୍କ ୧୦୦ କୋଟି ଏହି କମ୍ପାନୀଙ୍କୁ ଋଣ ଭାବେ ପ୍ରଦାନ କରିଛନ୍ତି। ଏହିସବୁ ବ୍ୟାଙ୍କର ଋଣ ବର୍ତ୍ତମାନ ଫେରିବା ଉପରେ ସମସ୍ୟା ଉପୁଜିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share