ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକର ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀଙ୍କ ତତ୍ତ୍ୱାବଧାନରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ପ୍ରଫେସର କୃତ୍ତିବାସ ବିଶ୍ୱାଳ ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷାଧିକାରିଣୀ ଲୋପାମୁଦ୍ରା ରଥ ମୁଖ୍ୟ ବକ୍ତା ଏବଂ ନୋଡାଲ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ, ରୋଟାରିଆନ୍ ରଞ୍ଜିତ କୁମାର ବାରିକ, ସହ-ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପ୍ରଧାନଶିକ୍ଷକ ମଦନମୋହନ ରଥ, ଶିକ୍ଷକ ନେତା ଜଗବନ୍ଧୁ ଜେନା, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଏବଂ ଓଷ୍ଟା ଜିଲା ସଭାପତି ଦିଲ୍ଲୀପ କୁମାର ପ୍ରଧାନ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ।
ଭଞ୍ଜନଗର ବ୍ଲକର ମାଧ୍ୟମିକ ବିଦ୍ୟାଳୟ ସମୂହ ପକ୍ଷରୁ ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ଏହି ଅବସରରେ ସମାଜସେବୀ ଶୂଳପାଣି ଶତପଥୀ ପ୍ରତ୍ୟେକ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଏକ ଲେଖାଏଁ ଚାରାଗଛ ପ୍ରଦାନ କରି ପରିବେଶ ସୁରକ୍ଷା ନିମନ୍ତେ ତାହାର ଯତ୍ନ ନେବାକୁ ଅନୁରୋଧ କରିଥିଲେ।
କାର୍ଯ୍ୟକ୍ରମରେ ୪୦ରୁ ଅଧିକ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଶେଷରେ ସହ-ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।